ନୂଆପଡ଼ା ଉପନିର୍ବାଚନ ପରେ ବିଜୁ ଜନତା ଦଳରେ ଆରମ୍ଭ ହୋଇଛି ଘମାସାନ। କିଛି ନେତା ପରୋକ୍ଷରେ ନେତୃତ୍ବ ଏବଂ ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହା ଭିତରେ ଦଳର କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା। କୁହାଯାଉଛି ଯେ, ସୁଜାତା କାର୍ତ୍ତିକେୟନ ରାଉତ ହୋଇପାରନ୍ତି କାର୍ଯ୍ୟକାରୀ ସଭାପତି। ସଭାପତି ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯାଇପାରନ୍ତି, ସେଠାରେ ଉପନିର୍ବାଚନ ଲଢିପାରନ୍ତି ସୁଜାତା । ତେବେ ଏହା କେତେ ସତ, କେତେ ମିଛ ଜଣାପଡିନଥିଲେ ମଧ୍ୟ ରବିବାର ବିଜୁ ଜନତା ଦଳର ପରବର୍ତ୍ତୀ ଉତ୍ତରାଧୂକାରୀ ପ୍ରସଙ୍ଗରେ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ବୟାନ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି। ସେ କହିଛନ୍ତି ଯେ, ଯେତେବେଳେ ଘୋଷଣା ହେବ ସେତେବେଳେ ଜଣାପଡିବ । ଦଳ ବିଧୂବଦ୍ଧ ନିଷ୍ପତ୍ତି ନେଲେ ବା ସଭାପତି ନିର୍ଦ୍ଦେଶ ଦେଲେ ସମସ୍ତେ ଜାଣିପାରିବେ।

ନୂଆପଡ଼ା ଉପନିର୍ବାଚନ ପରାଜୟକୁ ନେଇ ତନାଘନା ଭିତରେ ଶନିବାର ନବୀନ ନିବାସରେ ବସିଥୁଲା ଦଳୀୟ ରାଜନୈତିକ ବ୍ୟାପାର କମିଟି ବୈଠକ। ବୈଠକ ସମ୍ପର୍କରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ନୂଆପଡ଼ାରେ ପରାଜୟକୁ ନେଇ ସମୀକ୍ଷା କରାଯାଇଥିଲା। ମାତ୍ର ଏହା ଭିତରେ ସୂଚନା ମିଳିଛି ଯେ, ବୈଠକରେ ଉତ୍ତରାକାରୀ ପ୍ରସଙ୍ଗ ମଧ୍ଯ ଉଠିଥିଲା। ଆସନ୍ତା ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ଅବସରରେ ଆନୁଷ୍ଠାନିକ ଭାବେ ନବୀନ କାହାକୁ ଦାୟିତ୍ବ ତେବେ ତାହା ଘୋଷଣା ହୋଇପାରେ। ଏହା ଭିତରେ ଦଳର ୮ଜଣ ବିଧାୟକ ନବୀନ ନିବାସ ଯାଇ ପାଣ୍ଡିଆନ ଦମ୍ପରିଙ୍କ ହାତରେ ସଂଗଠନ ଦାୟିତ୍ବ ଦେବାକୁ ନବୀନଙ୍କୁ ଅନୁରୋଧ କରିଥିବା କୁହାଯାଉଛି। ଏହି ବିଧାୟକଙ୍କ ଭିତରେ ଧ୍ରୁବ ସାହୁ, ସୁଦର୍ଶନ ହରିପାଲ, ସାରଦା ଜେନା, ପ୍ରଦୀପ ସାହୁ ପ୍ରମୁଖ ରହିଥ‌ିବା ଜଣାପଡିଛି। ଏଥିସହ କିଛି ପୁରୁଖା ନେତା ମଧ୍ଯ ନବୀନ ନିବାସ ଯାଇ ଆଲୋଚନା କରିଥିବା କୁହାଯାଉଛି। ତେଣୁ କୁହାଯାଉଛି ଯେ, ସୁଜାତାଙ୍କ ପ୍ରବେଶକୁ ନିଶ୍ଚିତ କରିବା ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ।

 

Leave a Reply

Your email address will not be published. Required fields are marked *