ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍” (Subhadra Grievance Module) ର ଶୁଭାରମ୍ଭ ହୋଇଯାଇଛି ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା କହିଛନ୍ତି କୌଣସି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ ନାହିଁ । ଏହି ଅଭିଯୋଗ ସମାଧାନ ମଡ୍ୟୁଲ ଯୋଜନାର ପାରଦର୍ଶିତା, ଉତ୍ତରଦାୟିତ୍ୱ ଏବଂ ସମୟୋଚିତ ନିଷ୍ପତ୍ତିକୁ ସୁନିଶ୍ଚିତ କରିବ ।ଏହି ମଡ୍ୟୁଲ୍ ମାଧ୍ୟମରେ ସୁଭଦ୍ରା ଆବେଦନକାରୀମାନଙ୍କ ଅଭିଯୋଗ ଯଥା ଆବେଦନ ପ୍ରତ୍ୟାଖ୍ୟାନ, ସୁଭଦ୍ରା ସହାୟତା ନ ମିଳିବା ଆଦି ବିଷୟରେ ଶୀଘ୍ର ତଦନ୍ତ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ।

ସେ ଆଉ ମଧ୍ୟ କହିଛନ୍ତି ସୁଭଦ୍ରା ପୋର୍ଟାଲରେ ଅନଲାଇନ ମାଧ୍ୟମରେ କିମ୍ବା ବିଭିନ୍ନ ସରକାରୀ ସ୍ତରରେ ଅପଲାଇନ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡିକ ପ୍ରଥମ ପର୍ଯ୍ୟାୟରେ block level Scrutiny committee(ବ୍ଲକ୍ ସ୍ତରୀୟ ସ୍କୃଟିନି କମିଟି) କିମ୍ବା urban level Scrutiny committee(ନଗର ସ୍ତରୀୟ ସ୍କୃଟିନି କମିଟି) ପାଖରେ ଦାଖଲ କରାଯିବ । ଆବଶ୍ୟକ ପଡିଲେ, କମିଟି ଅଭିଯୋଗ ପତ୍ରଗୁଡ଼ିକୁ କ୍ଷେତ୍ରସ୍ତରୀୟ ଯାଞ୍ଚ ପାଇଁ ପଠାଇବେ ।
କମିଟି ରିପୋର୍ଟ ଅବା କ୍ଷେତ୍ରସ୍ତରୀୟ ଯାଞ୍ଚ ରିପୋର୍ଟ ଉପରେ ଆଧାର କରି କମିଟି ଆବେଦନକାରୀଙ୍କ ଯୋଗ୍ୟତା ବିଷୟରେ ନିଷ୍ପତ୍ତି ନେବେ । ଏହା ପରେ କମିଟି, ଯାଞ୍ଚ ରିପୋର୍ଟ ସହ District level Scrutiny committee((ଜିଲ୍ଲା ସ୍ତରୀୟ ସ୍କୃଟିନି କମିଟି) କିମ୍ବା Municipal Corporation Level Scrutiny Committee (ନଗର ନିଗମ ସ୍ତରୀୟ ସ୍କୃଟିନି କମିଟି) ପାଖକୁ ପଠାଇବେ । ଜିଲ୍ଲା କିମ୍ବା ନଗର ନିଗମସ୍ତରରେ ଅନୁମୋଦନର ଶେଷ ନିଷ୍ପତ୍ତି ନିଆଯିବ । ହିତାଧିକାରୀମାନେ ସୁଭଦ୍ରା ୱେବ ପୋର୍ଟାଲରେ ସେମାନଙ୍କର ଅଭିଯୋଗର ସ୍ଥିତି ସମ୍ପର୍କରେ ସୂଚନା ପାଇପାରିବେ।

ଏହା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନେ ସୁଭଦ୍ରା ଯାତ୍ରା ଓ ସଫଳତା କାହାଣୀ ମାଧ୍ୟମରେ ସୁଭଦ୍ରା ସେମାନଙ୍କ ଜୀବନରେ କିପରି ସକାରାତ୍ମକ ପରିବର୍ତ୍ତନ ଆଣିଛି ତାହା ଉପସ୍ଥାପନା କରିବେ।

ଅଙ୍ଗନବାଡି କେନ୍ଦ୍ର ସ୍ତରରେ ୧୭ ସେପ୍ଟେମ୍ବର ୨୦୨୫ ଠାରୁ ପୋଷଣ ମାସ ଆରମ୍ଭ ହେବା ସହ ସୁଭଦ୍ରା ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସମ୍ମିଳିତ ଭାବେ ପାଳନ କରାଯିବ। ଏଥିରେ ହିତାଧିକାରୀମାନେ ସୁଭଦ୍ରା ଯାତ୍ରାର ନିଜର ଅନୁଭବ ବାଣ୍ଟିବା ସହ ସୁଭଦ୍ରାର ଲାଭ ଆଲୋଚନା କରିବେ ଓ ପୋଷଣ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏଥିସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ସୁସ୍ଥ ନାରୀ, ସଶକ୍ତ ପରିବାର କାର୍ଯ୍ୟକ୍ରମରେ ସୁଭଦ୍ରା ଷ୍ଟଲ ମାଧ୍ୟମରେ ସୁଭଦ୍ରା ହେଲ୍ପ ଡେସ୍କ କର୍ମୀମାନେ ସୁଭଦ୍ରା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ସମ୍ପର୍କୀୟ ପ୍ରଚାର ପତ୍ର ବଣ୍ଟନ କରିବେ।

Leave a Reply

Your email address will not be published. Required fields are marked *