ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ମାଡ଼ । ଏଭଳି ସାଂଘାତିକ ଅଭିଯୋଗ ଉଠାଇଛନ୍ତି ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ର । ଡ୍ରଗ୍ସ ସେବନ ନ କରିବାରୁ କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଟଏଲେଟ ପାଣି ପିଆଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଏହା ସହ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର।

ଏନେଇ ଯୁବକ ଜଣକ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ କଲେଜ କର୍ତ୍ତୃପକ୍ଷଙ୍କୁ ଇ-ମେଲ୍ ଜରିଆରେ ଜଣାଇଥିଲେ । କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାରକୁ ଡାକି ଆପୋଷ ସମାଧାନ କରିବାକୁ କହିଥିଲେ । କିନ୍ତୁ ପୀଡିତଙ୍କ ପରିବାର ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାତ୍ରଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଛାତ୍ର ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ହୋଇଥିବାବେଳେ ସେ ଭୁବନେଶ୍ୱର ଉପକଣ୍ଠ ଘରୋଇ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କର ଜଣେ ସହପାଠୀ ଓ ସିନିୟର୍ କଲେଜର ଦ୍ବିତୀୟ ମହଲାକୁ ଡାକିନେଇଥିଲେ । ସେଠାରେ ପାଇଖାନା ପ୍ୟାନରେ ଛାତ୍ରଙ୍କ ମୁହଁ ଭର୍ତ୍ତି କରିବା ସହ ତାଙ୍କୁ ଚଟାଣ ଚଟାଇଥିଲେ । ଏହାସହ ଦୀର୍ଘ ଦୁଇ ଘଣ୍ଟା ଧରି ମାଡ ମାରିବା ପରେ ବାହାରକୁ ଡାକିନେଇ ଡ୍ରଗ୍ସ ନେବାକୁ ବାଧ୍ୟ କରିଥିଲେ । ଏପରିକି ଦୁଇ ଲକ୍ଷ ଟଙ୍କା ଦେବାକୁ ଧମକାଇଥିଲେ । କିନ୍ତୁ ପୀଡିତଙ୍କ ପରିବାର ପିପିଲି ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *