ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର, ଓୟୁଏଟି ସମ୍ମିଳନୀ କକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ‘ସୁଶାସନ ଦିବସ’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବାଜପେୟୀଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଟଳଜୀ କେବଳ ଜଣେ ବିଚକ୍ଷଣ ରାଜନେତା ନଥିଲେ, ବରଂ ସେ ଆଧୁନିକ ଭାରତର ଅନନ୍ୟ ବିନ୍ଧାଣି ଥିଲେ । ଓଡ଼ିଶାର ବିକାଶ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ।ପାରାଦୀପ ତୈଳ ବିଶୋଧନାଗାର, ଭୁବନେଶ୍ୱର ଏମ୍ସ (AIIMS) ଏବଂ ପୂର୍ବତଟ ରେଳପଥ ଭଳି ଯୁଗାନ୍ତକାରୀ ପ୍ରକଳ୍ପଗୁଡ଼ିକ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ଜ୍ୱଳନ୍ତ ପ୍ରମାଣ । ଅଟଳଜୀଙ୍କ ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଜି ସଂସ୍କାର ଓ ସମୃଦ୍ଧିର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ବୋଲି ମାଝୀ କହିଛନ୍ତି । ଭାରତ ବିଶ୍ୱଗୁରୁ ହେବ ବୋଲି ସ୍ୱାମୀ ବିବେକାନନ୍ଦ ଦିନେ କହିଥିଲେ। ବାସ୍ତବରେ ଏହାର ମୂଳଦୁଆ ପକାଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀଜୀ । ଏହାକୁ ବାସ୍ତବତାରେ ପରିଣତ କରିବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ପଣ କରିଛନ୍ତି। ନିରନ୍ତର ପ୍ରୟାସ ଫଳରେ ଆମେ ଏହି ସ୍ୱପ୍ନକୁ ବାସ୍ତବତାର ରୂପ ଦେଇପାରିବା ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀଙ୍କ ୧୦୧ ତମ ଜନ୍ମ ଦିବସ ତଥା ଜନ୍ମ ଶତବାର୍ଷିକ ପାଳନ ଅବସରରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି ଅବସରରେ ଆୟୋଜିତ “୧୦ମ ଅଟଳ ସମ୍ମାନ-୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ପ୍ରତିକୁଳ ପରିସ୍ଥିତିରେ ଅସାଧାରଣ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥିଲେ ଅଟଳଜୀ । ସେ ବିକାଶର ଅଭିଳାଷକୁ ବୁଣି ଭାରତବର୍ଷକୁ ସଡ଼କ ପଥରେ ଏକାକାର କରିବାର ଯୁଗପୁରୁଷ ଥିଲେ। ସ୍ୱାଧୀନ ଭାରତବର୍ଷର ସୁଶାସନର ପ୍ରବର୍ତକ, ସାରସ୍ୱତ ସାଧକ, ପାଂଚ ଦଶନ୍ଧିର ସାଂସଦ, ଯୁଗାନ୍ତକାରୀ, ମହାମାନବ, ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀ ସବୁ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇରହିବେ । କ୍ଷମତାରେ ରହିବା ପାଇଁ କେବେ ନୈତିକତା ଓ ଆଦର୍ଶ ସହ ସାଲିସ କରି ନ ଥିବା ଅଟଳଜୀ କୃଷକମାନଙ୍କ ଦୁଃଖକୁ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ । ସେ କୃଷକମାନଙ୍କ ପାଇଁ କିଶାନ କ୍ରେଡିଟ୍ କାର୍ଡ ଓ ଫସଲବୀମା ଯୋଜନା ଆରମ୍ଭ କରିଥିଲେ। ସେ କେବେ କାହାର ଚାପରେ ଆସୁ ନ ଥିଲେ। ପରମାଣୁ ପରୀକ୍ଷଣ କରିବାଠାରୁ କାର୍ଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ସଫଳ ହୋଇଥିଲେ। ସ୍ୱର୍ଗତଃ ଅଟଳଜୀଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଛି । ସେଥିପାଇଁ ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ବିକଶିତ ଭାରତ ଗଢିବା ପାଇଁ ଅଟଳଜୀ ଯେଉଁ ପ୍ରୟାସ କରିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ତାହାକୁ ପୂରଣ କରି ଚାଲିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାଧାରାରେ ଥିଲେ ଦୁରଦଷ୍ଟା, ରାଷ୍ଟନୀତିଜ୍ଞ, ରାଜନୀତିଜ୍ଞ, କବି, ଦାର୍ଶନିକ, ସମାଜସେବୀ ଓ ଦେଶଭକ୍ତ । ତାଙ୍କ ପଦାଙ୍କ ଅନୁସରଣ କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟଭାବେ ଗଢ଼ି ତୋଳିବା ପାଇଁ ଆମସମସ୍ତଙ୍କୁ ନିରନ୍ତର ଉଦ୍ୟମ କରିବାକୁ ପଡ଼ିବ । ବିକଶିତ ଭାରତ ଗଢ଼ିବା ପାଇଁ ଅଟଳଜୀ ଯେଉଁ ପ୍ରୟାସ କରିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ତାହାକୁ ପୂରଣ କରି ଚାଲିଛନ୍ତି। ସ୍ୱର୍ଗତ ବାଜପେୟୀଙ୍କ ମାର୍ଗରେ ଆମେ ସମସ୍ତେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି । ସ୍ୱର୍ଗତ ବାଜପେୟୀ ଓଡ଼ିଶାବାସୀଙ୍କୁ ଅନ୍ତରର ସହ ଭଲପାଉଥିଲେ । ସେ ଓଡ଼ିଶାର କଳା, ସଂସ୍କୃତି ଉପରେ ଗଭୀର ଅନୁଧ୍ୟାନ କରିଥିଲେ। ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ କେବେ ଭୁଲି ହେବ ନାହିଁ। ସ୍ୱର୍ଗତ ବାଜପେୟୀ ଦେଖାଇଥିବା ବାଟରେ ଆଗକୁ ବଢ଼ିଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । Post navigation Jagannath Idol: ପୁରୀ ବେଳାଭୂମିକୁ ଭାସି ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି; ଭିଡ଼ିଓ ଭାଇରାଲ