ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ପ୍ରବଳ ବର୍ଷା ପାଇଁ ପ୍ରଶାସନ ଆର୍ଲଟ ରହିଛି ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟକୁ ଆସୁଥିବା ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛି ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି ବଙ୍ଗୋପସାଗରରେ ଆଉ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି। ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ତାକୁ ରେଡ ଆଲର୍ଟରେ ରଖାଯାଇଛି । ଉପକୂଳ ଜିଲ୍ଲା ଗୁଡ଼ିକ ଅରେଞ୍ଜ ଆଲର୍ଟରେ ରହିଛି । ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖିଛୁ । ପ୍ରକୋପ ବେଶୀ ହଉ ଅବା କମ୍ ସେଥିପାଇଁ ମୁକାବିଲା କରାଯିବ ।

ଅନ୍ୟପକ୍ଷେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ଯେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ବୁଧବାର ଅବପାତରେ ପରିଣତ ହେବ । ଏହାପରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ । ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ। କିନ୍ତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *