ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଆଜି ଅର୍ଥାତ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ୱିତୀୟ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ଘୁଞ୍ଚାଇ ଦିଆଯାଇଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟ ବିଜେପି ସରକାର ସୁଶାସନର ଡିଣ୍ଡିମ ପିଟୁଥିବା ବେଳେ ଗୋଟିଏ ସାଧାରଣ ପରୀକ୍ଷା ସୁରୁଖୁରୁରେ କରାଇବାରେ ସକ୍ଷମ ହୋଇପାରୁ ନାହାନ୍ତି । ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଗଲା ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ପ୍ରଶ୍ନପତ୍ରକୁ ବିକ୍ରି କରାଯାଇଛି । ସେ କହିଛନ୍ତି, ଏହି ପ୍ରଶ୍ନପତ୍ର ପ୍ରଘଟ ବା ପ୍ରଶ୍ନପତ୍ର ବିକ୍ରି ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏଥିରେ ପରୀକ୍ଷା ଦେବାକୁ ଥିବା ପ୍ରାୟ ୭୫ ହଜାର ଶିକ୍ଷକ ହତାଶ ହୋଇଛନ୍ତି । ଗତ ଏକ ବର୍ଷର ବିଜେପି ଶାସନରେ ଏଭଳି ଅନେକ ପରୀକ୍ଷା ବାତିଲ ହୋଇଛି ଓ ସୁଶାସନ ଦାବି କରି କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ପରୀକ୍ଷାଟିଏ ସୁରୁଖୁରୁରେ ଆୟୋଜିତ କରିବାରେ ସକ୍ଷମ ହୋଇନାହାନ୍ତି । ଗତ ଏକ ବର୍ଷ ଭିତରେ, ରାଜ୍ୟରେ ପ୍ରାୟ ୧୨ଟି ପରୀକ୍ଷା ବିଭିନ୍ନ କାରଣରୁ ଘୁଞ୍ଚାଯାଇଛି । କେଉଁଠି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ବେଳେ, କେଉଁଠି ଭୁଲ୍ ପ୍ରଶ୍ନପତ୍ର ବଣ୍ଟନ ଯୋଗୁଁ ପରୀକ୍ଷା ଘୁଞ୍ଚାଯାଉଛି । ପରୀକ୍ଷାଟିଏ ତ୍ରୁଟିଶୁନ୍ୟ ଭାବେ କରାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାଛଡା, ଏଭଳି ପ୍ରଶ୍ନପତ୍ର ପ୍ରଘଟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷା ବିଲ୍ ୨୦୨୪ରେ କରାଯାଇଛି । ଏହି ବିଲ୍ ଅନୁଯାୟୀ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ସହ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି । ବିଜେପି ସରକାରରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏକ ନିୟମିତ ବ୍ୟାପାର ହୋଇଥିଲେ ମଧ୍ୟ ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଦଣ୍ଡିତ ହୋଇନାହାନ୍ତି । ଏହି ଆଇନକୁ କାର୍ଯ୍ୟକାରୀ ନକରିବା ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଇବା ସଦୃଶ୍ୟ ହୋଇଛି ବୋଲି ଡ଼ ମହାନ୍ତି କହିଥିଲେ । Post navigation ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍ DFO