ଖଣ୍ଡଗିରିରୁ ଏମ୍ସକୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର। ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ହୋଇଛି । ଏହା ମଧ୍ୟରୁ ଗୋଟିଏ ଲେନ୍‌ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ ବୋଲି ଏ ନେଇ ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି ଏଣିକି ଏମ୍‌ସ ଯାଉଥିବା ଆମ୍ବୁଲାନ୍ସ ଆଉ ବାଟରେ ଅଟକିବନି କି ଟ୍ରାଫିକରେ ଫସିବନି। ଗୋଲ୍ଡେନ ଆୱାରରେ ରୋଗୀଙ୍କୁ ଖୁବ୍ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବାକୁ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି । ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ । ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ । ଏପରି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ (NHI) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ । ଏବେ ଖଣ୍ଡଗିରି ଛକରୁ ଏମ୍‌ସ ଯାଏ କିଛି ସ୍ଥାନରେ ରାସ୍ତା ତିନିଲେନ୍ ବିଶିଷ୍ଟ ରହିଛି । ଆଉ କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇ ଦୁଇ-ଲେନ୍ ଅଛି । ଏଇ ପୂରା ରାସ୍ତାକୁ ତିନି-ଲେନ୍‌ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ କିଛି ସୁରକ୍ଷାକର୍ମୀ ବି ନିୟୋଜିତ ରହିବେ କିଛି ସ୍ଥାନରେ ସିସିଟିଭି କ୍ୟାମେରା ବି ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ ।

Leave a Reply

Your email address will not be published. Required fields are marked *