ଅବକାରୀ ଟିମ୍ ହାତରେ ଗଞ୍ଜେଇ ବଦଳରେ ଲାଗିଛି ବିପୁଳ ପରିମାଣରେ ରୁପା ଇଟା । କାର୍ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ । ସମ୍ବଲପୁର ଅବକାରୀ ଟିମ୍ ରେଙ୍ଗାଲି ତହସିଲ ଅଫିସ୍ ଛକ ନିକଟରେ ଏକ କାରରୁ ଏକ କୁଇଣ୍ଟାଲ୍ ୧୦ କିଲୋଗ୍ରାମ ରୁପା ଇଟା ଜବତ କରିଛି । କାର୍ ଭିତରେ ସିକ୍ରେଟ୍ ଚାମ୍ବର୍ କରି ହେଉଥିଲା ଚୋରା ଚାଲାଣ ।ଗଞ୍ଜେଇ ଚୋରା ଚାଲାଣ ଯାଞ୍ଚ ବେଳେ ଜବତ କଲେ ଅବକାରୀ ଟିମ୍ । ରୁପା ଇଟା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ସେମାନେ ହେଲେ ଚନ୍ଦ୍ରକାନ୍ତ ପଟେଲ୍ ଓ ସଞ୍ଜୟ ପଟେଲ୍ । ସୂଚନା ଯୋଗ୍ୟ, ଆଜି ସକାଳେ ସମ୍ବଲପୁର ଅବକାରୀ ପୋଲିସ ଟିମ୍ ରେଙ୍ଗାଲୀ ତହସିଲ କାର୍ଯ୍ୟାଳୟ ନିକଟରେ ଗଞ୍ଜେଇ ଯାଞ୍ଚ କରୁଥିବା ବେଳେ ମହାରାଷ୍ଟ୍ର ନମ୍ବର ଥିବା ଏକ କାରକୁ ଅଟକାଇଥିଲା । ଯାଞ୍ଚବେଳେ କାରର ଏକ ସିକ୍ରେଟ୍ ଚାମ୍ବରରେ ପୁଳା ପୁଳା ରୁପା ଇଟା ଦେଖିବାକୁ ପାଇଥିଲା । ଏହା ପରେ ଅବକାରୀ ଟିମ୍ ଉକ୍ତ ରୁପାକୁ ଜବତ କରିଥିଲା । ଝାଡ଼ଖଣ୍ଡ ରାଞ୍ଚିକୁ ଏହି ରୂପା ଇଟା ଚାଲାଣ ହେଉଥିବା ଜଣାପଡିଛି । ଜବତ ହୋଇଥିବା ରୂପାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ସହ ଅବକାରୀ ଟିମ୍ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । Post navigation ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ତାତିଲା ବିଜୁ ମହିଳା ଜନତା ଦଳ ଆଇଏଏସ୍ ମନୋଜ ମହାନ୍ତି ହେଲେ ଓପିଏସସି ସଦସ୍ୟ