ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହା ଆସୁଛନ୍ତି ୭ ତାରିଖ । ୯ ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମନେକରାଯାଉଛି ଯେ, ଶାହାଙ୍କର ଏହି ଗସ୍ତ ସମୟରେ ହିଁ ଏକ ବଡ଼ଧରଣର ବୁଝାମଣା ହେବ ବିଜୁ ଜନତା ଦଳ ସହ । କୌଣସି ପରିସ୍ଥିତିରେ କଂଗ୍ରେସକୁ ଗୋଟି ଚଳାଇବା ପାଇଁ ସୁଯୋଗ ନଦେବା ଲାଗି ଶାହା ଯୋଜନା ପ୍ରସ୍ତୁତ କରିସାରିଥିବା ବୋଲି ସୂଚନା ମିଳିଛି । ଶାହା ଠାକୁର ଦେଖା ସହିତ କଦଳୀ ବିକାକୁ ପସନ୍ଦ କରନ୍ତି । ଯାହା ତାଙ୍କର ସରକାରୀ କାର୍ଯ୍ୟକ୍ରମ ବୋଲି କୁହାଯାଏ ତାହାରି ଅନ୍ତରାଳରେ ବିଶେଷ ରାଜନୈତିକ ଉଦ୍ଦେଶ୍ୟ ରହିଥାଏ । ମନେପକାଇ ଦେବୁ ଯେ ୨୦୨୩ ଅଗଷ୍ଟ ୫ ତାରିଖରେ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ । ସେତେବେଳେ କୌଣସି ଦଳୀୟ କାର୍ଯ୍ୟକ୍ରମ ନଥିଲା, ଥିଲା ଏକ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟକ୍ରମ। ସଡ଼କ ପରିବହନ ମନ୍ତ୍ରୀ ହେଉଛନ୍ତି ନୀତିନ ଗଡ଼କରୀ । କିନ୍ତୁ ଆସିଲେ ଶାହା । ସକାଳୁ ସକାଳୁ ଏକ ତାରକା ହୋଟେଲରେ ଭୈରବ କାର୍ତିକେୟନ ପାଣ୍ଡିଆନଙ୍କ ସହ ତାଙ୍କର ବିଶେଷ ଚା’ ପାନ ସାକ୍ଷାତ କାର୍ଯ୍ୟକ୍ରମ ହୋଇଥିଲା । ସେତେବେଳେ ଭାଜପାର ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ ମଧ୍ୟ ଶାହା ଓ ପାଣ୍ଡିଆନଙ୍କ ଆଲୋଚନାରେ ସେମାନଙ୍କୁ ଦୂରେଇ ରଖାଯାଇଥିଲା । ସେଇଦିନ ସରକାରୀ କାର୍ଯ୍ୟକ୍ରମ ଶେଷ ପରେ ଶାହା ଭେଟିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ । ନବୀନ ଏବଂ ପାଣ୍ଡିଆନ ଆଗୁଆ ବିଧାନସଭା ନିର୍ବାଚନ କରାଇବା ଲାଗି ଯେଉଁ ଯୋଜନା କରିଥିଲେ ସେଇ ଯୋଜନାକୁ ପଣ୍ଡ କରିଦେଲେ ଶାହା । ଶାହା ଏମିତି ଏକ ମେଣ୍ଟ ସ୍ବପ୍ନରେ ନବୀନଙ୍କୁ ଝୁଲାଇ ଦେଲେ ଯେ ଶେଷ ପର୍ଯ୍ୟନ୍ତ ବିଜଦ ନେତୃତ୍ବ ମୋଦୀ ଏବଂ ଶାହାଙ୍କ ରଣନୀତିର ଟେର୍ ପାଇନଥିଲା । ଅର୍ଥାତ୍ ଆସିଲେ ସରକାରୀ କାର୍ଯ୍ୟକ୍ରମରେ କିନ୍ତୁ ଖେଳିଯାଇଥିଲେ ବଡ଼ ରାଜନୈତିକ ଗୋଟି । ବୁଧବାର ଭାରତୀୟ ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ପାଇଁ ଆନୁଷ୍ଠାନିକ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଶାହା ଆସୁଛନ୍ତି କଟକ ମୁଣ୍ଡୁଳି ସ୍ଥିତ ସିଆର୍ପିଏଫ୍ କ୍ୟାମ୍ପସ୍ର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ପାଇଁ । ତା’ଛଡ଼ା ମାଓମୁକ୍ତ ଓଡ଼ିଶା ପାଇଁ ବ୍ୟାପକ ଆଲୋଚନା ମଧ୍ୟ କରିବେ । ଏହା ଆପାତତଃ ଏକ ସରକାରୀ ଗସ୍ତ ଜଣାପଡ଼ୁଛି । ହେଲେ ଏହା ଭିତରେ ଏକ ବଡ଼ ରାଜନୈତିକ ଯୋଜନା ରହିଛି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ସଂଖ୍ୟାବଳ ଦୃଷ୍ଟିରୁ ଭାଜପା ୨, ବିଜଦ ୧ ଆସନ ନେଉଛି । ଅଢୁଆ ଚତୁର୍ଥ ଆସନ ପାଇଁ। ତେବେ ଏହି ଆସନ ପାଇଁ କଂଗ୍ରେସ ଯେପରି ପ୍ରାର୍ଥୀ ନଦେବ ସେଥିପାଇଁ ରଣନୀତି ହେଉଛି । ବିଜୁ ଜନତା ଦଳର ଭୋଟ୍ ଏପଟ ସେପଟ ହେବାର ଆଶଙ୍କା ଭିତରେ ଆସୁଛନ୍ତି ଶାହା । ଏହି ଗସ୍ତରେ ନବୀନଙ୍କ ସହ ଏକ ଡିଲ୍ରେ ମୁଣ୍ଡି ମାରିବାର ଲକ୍ଷ୍ୟ ରହିଛି । ନବୀନ ମଧ୍ୟ ତାହା ହିଁ ଚାହୁଁଛନ୍ତି । ଭୋଟ୍ ନହେଉ, ବରଂ ଭାଜପା ୩ଟି ଆସନ ନେଉ, ଆପାତତଃ ତାଙ୍କ ଦଳ ବିଭାଜିତ ହେବାର କୌଣସି ଆଶଙ୍କା ରହିବ ନାହିଁ । ଯଦି ମନୋନୟନ ପ୍ରତ୍ୟାହାର ଶେଷ ଦିନରେ ଭାଜପାର ତୃତୀୟ ପ୍ରାର୍ଥୀଙ୍କୁ ବିଜଦ ସଭାପତି ସମର୍ଥନ ପାଇଁ ଘୋଷଣା କରନ୍ତି ତେବେ କଂଗ୍ରେସ ପ୍ରାର୍ଥୀ ଦେଇ କି ନଦେଇ ଆଉ କିଛି ଫରକ ପଡ଼ିବ ନାହିଁ । ଏଣୁ ସବୁଠୁ ଗୋଳମାଳ ଚତୁର୍ଥ ଆସନ ପାଇଁ । ଭାଜପା ରାଜ୍ୟ ବାହାରୁ ଜଣେ ପ୍ରାର୍ଥୀଙ୍କୁ ଛିଡ଼ା କରାଇପାରେ କିମ୍ବା ଅନ୍ୟ କୌଣସି ଭାଜପା ନେତା ଏହି ଆସନରୁ ପ୍ରାର୍ଥୀ ହୋଇପାରନ୍ତି । ବିଜଦର ସମର୍ଥନ ମିଳିବ, ଆଉ ଅଡୁଆ ରହିବ ନାହିଁ । ଶାହା ଆସି ଚାଲିଯିବା ପରେ ୯ ତାରିଖ ଦିନ ଚିତ୍ର ଭାଜପା ୩, ବିଜଦ ୧ ଅଧିକ ସ୍ପଷ୍ଟ ହୋଇଯିବ । Post navigation Budget Session: ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି ଓଡ଼ିଶା ସରକାର, ବିକାଶ ହେବ କେମିତି: କଂଗ୍ରେସ