କାଲି ହେବାକୁ ଯାଉଛି ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ମତଦାନ। ରଜ୍ୟର ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଟି ଲୋକ ସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ସାମ୍ୱାଦିକ ସମ୍ମିଳନୀ କରି ଡିଜି କହିଛନ୍ତି, ଏହି ପର୍ଯ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ନାହିଁ । ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ସେ ଆଉମଧ୍ୟ କହିଛନ୍ତି ଏଥର ୧୦ ହଜାର ୮୮୨ ଟି ବୁଥ ଅଛି। ଏହା ଭିତରେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୮୬ ପ୍ଲାଟୁନ ଓଡିଶା ଆର୍ମ ପୋଲିସ ରହିବେ । ବୁଥ ତଦାରଖ ପାଇଁ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ଅନ୍ୟପଟେ୧୧ ଜଣଙ୍କୁ ଏନଏସଏରେ ବୁକ କରାଯାଇଛି। ସ୍ପେଶାଲ ଡ୍ରାଇଭ ବଳରେ ୨୮୧ ଜଣଙ୍କ ଠାରୁ ବେଆଇନ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ୬ ଲକ୍ଷ ଲିଟର ମଦ ଜବତ କରାଯାଇଛି। ୨୬ ହଜାରରୁ ଅଧିକ ଏନଡିପିଏସ କେସ ହୋଇଛି। ୮୬୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୫ ହଜାର ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୫ କେଜି ବ୍ରାଉନସୁଗର କରାଯାଇଛି । ସମୁଦାୟ ନିଶା ସାମଗ୍ରୀ ନଗତ ଟଙ୍କା ଜବତ ମୂଲ୍ୟ ଆନୁମାନିକ ୮୯ କୋଟି ହେବ । ଏସଏସଟି ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୬.୨୯ କୋଟିରୁ ଅଧିକ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୋଲିସ ଡିଜିପି । Post navigation ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ