ପ୍ୟାରେଡ୍ ପୂର୍ବରୁ ଅଘଟଣ । ସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡକୁ ଯିବାବେଳେ ଓଲଟିଲା ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ । ଆଠଗଡ଼ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ଅଂଶୁପା ରାସ୍ତା ଖନ୍ଦକ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଆହତ ହୋଇଛନ୍ତି । ଆହତମାନଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହା ସହ ମାଳବିହାରାପୁର ହାଇସ୍କୁଲ ର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣା ବିଷୟରେ ଖବର ପାଇ ଗଭୀର ଶୋକ ପ୍ରକାଶ କରି ଦୁର୍ଘଟଣାରେ ମୃତ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଏବଂ ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହ ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ; ଆଜି ସକାଳୁ ଆଠଗଡ଼ ଉତ୍ତର ବାଙ୍କୀ ମାଳ ବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୪ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସରଣ୍ଡା ପଡିଆକୁ ପ୍ୟାରେଡ୍ ପାଇଁ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନଟି ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣେ ୧୦ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ୨୦ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କଟକ ଯାଉଥିବା ବେଳେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଷ୍ଟମର୍ଟମ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ଅଣାଯାଇଛି । Post navigation ଦିଲ୍ଲୀର କର୍ତ୍ତବ୍ୟପଥରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ଓଲଟିଲା ଓଏସଆରଟିସି ବସ୍; ୨ ମୃତ, ଅନେକ ଆହତ