ଖୁବଶୀଘ୍ର ପୂରଣ ହେବ ସାତପଡ଼ା – ଜହ୍ନିକୁଦା ବାସୀଙ୍କ ସ୍ବପ୍ନ । ନିର୍ମାଣ ହେବାକୁ ଯାଉଛି ସିଗ୍ନେଚର୍ ବ୍ରିଜ । ଲୋକଙ୍କ ଯାତାୟାତ ଅସୁବିଧାକୁ ନଜରରେ ରଖି ଏହାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ।

ତେଣୁ ଆଜି ମାନ୍ୟବର କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ପୁରୀ ସାତପଡ଼ାରୁ ଜହ୍ନିକୁଦା ବ୍ରିଜ ନିର୍ମାଣ ପାଇଁ ଆବଶ୍ୟକ ଥିବା ପରିବେଶ ମଞ୍ଜୁରୀ ବିଷୟରେ ବିସ୍ତାର ଭାବେ ଆଲୋଚନା କରିଛନ୍ତି ସମ୍ବିତ ପାତ୍ର । ଏହି ଅବସରରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଯେ ଚିଲିକା ହ୍ରଦ ଏବଂ ଏହାର ସୀମା ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି। ବର୍ତ୍ତମାନ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍‌ର ସାତପଡ଼ାଠାରୁ କୃଷ୍ଣ ପ୍ରସାଦ ବ୍ଲକ୍‌ର ଜହ୍ନିକୁଦା ମଧ୍ୟରେ ଯାତାୟାତ ପାଇଁ ଲୋକ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତେ ଚିଲିକା ହ୍ରଦ ଉପରେ ଭସା ପୋଲ ଉପରେ ନିର୍ଭରଶୀଳ ହୋଇ ରହୁଛନ୍ତି ।

ସାତପଡ଼ାରୁ ଜହ୍ନିକୁଦା ଯାତାୟାତ ପାଇଁ ଲୋକମାନେ ବହୁତ୍ ଥର ବ୍ରିଜ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପ ନେଇ ଡିପିଆର ପ୍ରସ୍ତୁତ ହୋଇସାରିଥିବା ବେଳେ ଖୁବଶୀଘ୍ର ଅନ୍ୟାନ୍ୟ କାର୍ଯ୍ୟ ଶେଷ କରାଯାଇ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ପାଇଁ ତତ୍ପରତା ଦେଖାଇଛନ୍ତି ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର । ସେଥିପାଇଁ ସମ୍ବିତ ପାତ୍ର ନିଜେ ଯାଇ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ସାକ୍ଷାତ କରି କିପରି ଏହି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରାଯାଇପାରିବ ସେ ବିଷୟରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *