ଭୁବନେଶ୍ୱର, :ଆଜି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ରାଜନୈତିକ ସଂଗଠନ ଥିଲା ବିଜେଡି । ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ କାର୍ଯ୍ୟନିର୍ବାହୀ ଓ ପାଲ୍ୟାମେଂଟାରୀ ବୋର୍ଡ ହିଁ ଦଳର ପ୍ରାଥୀ କିଏ ହେବ ସ୍ଥିର କରେ । ବିଜେଡିର ପୁରୁଣା ନେତାଙ୍କୁ ପଚାରିଲେ ପାଲ୍ୟାମେଂଟାରୀ ବୋର୍ଡର କିଏ ସଦସ୍ୟ ଅଛନ୍ତି ତାହା ତାଙ୍କୁ ଜଣାନାହିଁ । ତାଙ୍କର ବୈଠକ ହେଲା କି ନାହିଁ ? ବୈଠକରେ କ’ଣ ନିଷ୍ପତି ହେଲା ତାହା ମଧ୍ୟ ବିଜେଡି ନେତାମାନେ ଅନଭିଜ୍ଞ ।  ଏହାଛଡା ଓଡିଶାର କ୍ୟାବିନେଟ୍ ବସୁଛି କି ନାହିଁ, ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଖରେ ଚିଠା ପହଂଚୁଛି କି ନାହିଁ, ତାହା ବି ବିଜେଡି ନେତାଙ୍କୁ ଜଣାନାହିଁ ।  ବିଜେଡି ଦଳରେ ମାତ୍ର ୨ଟି ଲୋକ ଦେଖାଯାଉଛନ୍ତି । ପ୍ରଶାସନର ଉପର ଠୁ ତଳ ପର୍ଯ୍ୟନ୍ତ ପିସି ଓ ଭ୍ରଷ୍ଟାଚାର ଚାଲିଛି । ଏହାକୁ ବାହାରୁ ଆସୁଥିବା ଲୋକମାନେ ବି ଅନୁଭବ କରିପାରୁଛନ୍ତି । ଏନେଇ ବିଜେଡି କବଳରୁ ଓଡ଼ିଶାକୁ ମୁକୁଳାଇବାକୁ ଓଡ଼ିଶାର ଜନସାଧାରଣ ଓ ଭୋଟରମାନଙ୍କୁ ବିଜେପି ନିବେଦନ କରୁଛି । ଓଡ଼ିଶା ମୁକୁଳିଲେ ବିକଶିତ ଓଡ଼ିଶା ଗଠନ ସମ୍ଭବ ହେବ । ଏହା ହିଁ ମୋଦି ଗ୍ୟାରେଂଟି । ଯେଉଁଠି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓଡ଼ିଶାର ବିକାଶ ଅଟକିଯାଉଛି ତାକୁ ଗତିଶୀଳ କରିବା ମୋଦି ଗ୍ୟାରେଂଟି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ବିଜେଡି ସରକାର ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ବିଭ୍ରାନ୍ତ କରୁଛି । ବିଜେଡି ନେତାମାନେ ଅପପ୍ରଚାର କରୁଛନ୍ତି ଯେ, ବିଜେପି ସରକାରକୁ ଆସିଲେ ବିଏସ୍‌କେୱାର ବନ୍ଦ ହୋଇଯିବ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବନ୍ଦ ହୋଇଯିବ । ମାତ୍ର ଏସବୁ ଭ୍ରାନ୍ତ ଧାରଣାରୁ ଦୂରେଇ ରହିବାକୁ ଓଡ଼ିଶାବାସୀଙ୍କୁ ବିଜେପି ନିବେଦନ କରୁଛି । ବିଜେପି ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଆମ ଦଳ ସରକାର ଗଢ଼ିଲେ କୌଣସି ଯୋଜନା ବନ୍ଦ ହେବ ନାହିଁ ବରଂ ସମୃଦ୍ଧ ହେବ । ବିଜେପି ସର୍ବଦା ବିକାଶରେ ବିଶ୍ୱାସ କରେ । ବିଜେପି ସରକାର ତରଫରୁ ପିଏମ୍ ସୂର୍ଯ୍ୟଘର ଯୋଜନାରେ ଉପଭୋକ୍ତାମାନଙ୍କ ବିଜୁଳି ଛାଡ ହେବା ସହ ରୋଜଗାର ମଧ୍ୟ ବଢ଼ିବ ।  ସେହିପରି ମା’ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ବିଜେପି “ସୁଭଦ୍ରା ଯୋଜନା” ଘୋଷଣା କରିଛି ।  ଚାଷୀଙ୍କ ଆୟ ଦିଗୁଣିତ କରିବା ସହ ଶୀତଳଭଣ୍ଡାର, ମଣ୍ଡିର ବ୍ୟବସ୍ଥା କରିବ । ଏଥିସହ ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଓଡ଼ିଶାରେ ପଛୁଆ ଶ୍ରେଣୀ ବା ଓବିସି ୫୪ପ୍ରତିଶତ ରହିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଅବହେଳା କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ଆଇନ ପାରିତ ହୋଇଛି ସେ ଆଇନର ୨୭% ସଂରକ୍ଷଣ ଦିଆଯାଇଛି । ମାତ୍ର ସେଥିରୁ ରାଜ୍ୟ ସରକାର ଓଡିଶାବାସୀଙ୍କୁ ବଂଚିତ କରିଛନ୍ତି । ଓଡିଶାରୁ ବିଜେଡିକୁ ବିତାଡିତ କରିବାର ଆବଶ୍ୟକତା ଅଛି । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଓଡ଼ିଶାବାସୀ ପୀଡିତ ହୋଇଛନ୍ତି ତାହାର ଜବାବ ଭୋଟ ମାଧ୍ୟମରେ ବିଜେଡିକୁ ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଆର୍ଥିକ ଅନଗ୍ରସର ବର୍ଗର ରାଜ୍ୟ ସଂଯୋଜକ କୁଳମଣି ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

By SonaliP

Leave a Reply

Your email address will not be published. Required fields are marked *