ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି ।

ଉଭୟ ବୀମା କରିନଥିବା ଓ ବୀମା କରିଥିବା ଚାଷୀମାନଙ୍କୁ ସହାୟତା ଦିଆଯିବ । ବୀମା କରିଥିବା ଚାଷୀମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେବା ପାଇଁ ଡିସେମ୍ବର ୨୯ ଥିଲା ଶେଷ ତାରିଖ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରାଳୟକୁ ଏହି ଅବଧି ବଢାଇବାକୁ ଅନୁରୋଧ କରାଯାଇଥିଲା । ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଅବଧିକୁ ଆଉ ତିନି ଦିନ ପାଇଁ ବୃଦ୍ଧି କରିଛନ୍ତି । ତେଣୁ, ଚାଷୀମାନେ ବର୍ତ୍ତମାନ ୨୦୨୫ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବୀମା କମ୍ପାନୀ ମାନଙ୍କୁ ଫସଲ କ୍ଷତି ସମ୍ପର୍କରେ ସୂଚନା ଦେଇ ପାରିବେ ।

ଓଡିଶାର ଚାଷୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହି ସହାନୁଭୂତିଶୀଳ ମନୋଭାବ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *