ଆଜି ଖୋଲିବ ରତ୍ନଭଣ୍ଡାର । ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି । ୪୮ ବର୍ଷ ପରେ ହେବ ରତ୍ନଭଣ୍ଡାର ଗଣତି । ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ଶୁଭ ମୂହୁର୍ତ୍ତର ରହିଥିବା ବେଳେ ଏହି ସମୟ ମଧ୍ୟରେ ପ୍ରବେଶ କରିବେ ଗଣତିମଣତି ଟିମ୍। କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ। ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମଟି ହେଉଛି ସୁପରଭାଇଜିଂ ଟିମ୍ ଏବଂ ଦ୍ୱିତୀୟଟି ହ୍ୟାଣ୍ଡେଲିଂ ଟିମ୍। ଏହି ଟିମ୍ରେ ରହିବେ ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ସ୍ୱର୍ଣ୍ଣକାର ଓ ରତ୍ନବିଜ୍ଞାନୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ମଧ୍ୟ ରହିବେ ଉପସ୍ଥିତ । ତେବେ ପାରମ୍ପରିକ ବସ୍ତ୍ର ପରିଧାନ କରି ଭଣ୍ଡାର ଘରେ ପ୍ରବେଶ କରିବେ ସମସ୍ତ ସଦସ୍ୟ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଓ ପରେ ଭିତର ଭଣ୍ଡାରର ଅଳଙ୍କାର ଗଣାଯିବ । ସୁନା, ରୁପା, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଗହଣାକୁ ଅଲଗା ଶ୍ରେଣୀଭୁକ୍ତ କରାଯିବ । ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଭକ୍ତମାନଙ୍କ ପାଇଁ ପୂଜାର୍ଚ୍ଚନା ଏବଂ ଦର୍ଶନ ବିନା କୌଣସି ବାଧାରେ ଜାରି ରହିବ, ଯଦିଓ ଭିତର କଥାରୁ ସାର୍ବଜନୀନ ଦର୍ଶନ ପ୍ରତିବନ୍ଧିତ ରହିଛି। ଭକ୍ତମାନଙ୍କୁ କେବଳ ବାହାର କଥାରୁ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି। ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ହେବ ପ୍ରତ୍ୟେକ ଅଳଙ୍କାରର ଓଜନ । ଅଭିଜ୍ଞ ସ୍ୱର୍ଣ୍ଣକାର ସୁନାର ଶୁଦ୍ଧତା ଓ ମୂଲ୍ୟବାନ ପଥରର ଗୁଣବତ୍ତା ଯାଞ୍ଚ କରିବେ । ୧୯୭୮ ମସିହାରେ ହୋଇଥିବା ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ମେଳକ ହେବ । ଗହଣାର ହାଇ-ରିଜୋଲ୍ୟୁସନ ଫଟୋ ଓ ଭିଡିଓ ଉଠାଯାଇ ପ୍ରସ୍ତୁତ କରାଯିବ ଡିଜିଟାଲ ଡାଟାବେସ୍ । ମହାପ୍ରଭୁଙ୍କ ଗହଣାକୁ ସଂରକ୍ଷିତ ରଖିବାକୁ ବ୍ୟବହାର ହେବ ୩ ପ୍ରକାରର ରଙ୍ଗର କପଡ଼ା । ହଳଦିଆ ଭେଲଭେଟ୍ କପଡ଼ାରେ ରଖାଯିବ ସୁନା ଅଳଙ୍କାର । ସିଲଭର ରଙ୍ଗର କପଡ଼ାରେ ରହିବ ରୌପ୍ୟ ଅଳଙ୍କାର । ଲାଲ ରଙ୍ଗର ଭେଲଭେଟ୍ କନାରେ ରଖାଯିବ ଅନ୍ୟାନ୍ୟ ଅଳଙ୍କାର । ଗହଣା ସବୁକୁ ସିନ୍ଦୁକରେ ରଖି ସରକାରୀ ମୋହର ମରାଯାଇ ସୁରକ୍ଷିତ ରଖାଯିବ । Post navigation Vigilance Nabs Auditor: ଭିଜିଲାନ୍ସ ଜାଲରେ ଅଡ଼ିଟର୍ ଅମ୍ବିକା ପ୍ରସାଦ ରଥ Dry Day Declared In Basudevpur: ଆଜି ବାସୁଦେବପୁରରେ ମଦ ବିକ୍ରି ବନ୍ଦ