ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର । ଏହି ସମାରୋହରେ ଦେଶ ବିଦେଶରୁ ପ୍ରାୟ ୭୦୦୦ ଅତିଥି ଯୋଗଦେବେ । ଅଦ୍ୟାବଧି ୨୭୪୮ ଜଣ ଅତିଥି ଅଂଶ ଗ୍ରହଣ ନିମନ୍ତେ ପଞ୍ଜିକରଣ କରି ସାରିଲେଣି । ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲ କାଙ୍ଗାଲୁ ( Ms Christine Carla Kangaloo) ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରଭୁତି ଏହି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ । ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ହାଇ ସିକ୍ୟୁରିଟି ଫୋର୍ସ, ୨୫୦ ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ୧୪୦ ଲିଆଜିନିଙ୍ଗ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମାରୋହରେ ଓଡିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଦର୍ଶନ ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶୀ ନୃତ୍ୟ, ମୁକ୍ତେଶ୍ୱର ଡ୍ୟାନ୍ସ ଫେଷ୍ଟିଭାଲ, ଦେଶଜ ନୃତ୍ୟ ଇତ୍ୟାଦି ମାଧ୍ୟମରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯିବ । ଏହାର ଦୂରଦର୍ଶନରେ ସିଧା ପ୍ରସାରଣ ମଧ୍ୟ କରାଯିବ । ଭୁବନେଶ୍ୱର, କଟକ, ପୁରୀ, କୋଣାର୍କ ଆଦି ବିଭିନ୍ନ ସହରର ପ୍ରାୟ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ଅତିଥି ମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି । ଅତିଥି ମାନଙ୍କ ଭ୍ରମଣ ତଥା ଯାତାୟାତ ନିମନ୍ତେ ୧୦ଟି ଉନ୍ନତ ମାନର ବସ ଏବଂ ୫ଟି ଡବଲ୍ ଡେକର ବସର ବ୍ୟବସ୍ଥା କରାଯାଇଛି । ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟଟ୍ୟୁବର ଓ ବ୍ଲଗର ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଏହି ଉତ୍ସବର ପ୍ରଚାର ଓ ପ୍ରସାରଣ ନିମନ୍ତେ ସୋସିଆଲ ମିଡିଆ, ଟିଭି ଓ ବିଜ୍ଞାପନ ଇତ୍ୟାଦି ମାଧ୍ୟମରେ ଜନସାଧାରଣଙ୍କୁ ତିନିଗୋଟି ଭାଷା ଯଥା-ଓଡିଆ, ହିନ୍ଦୀ, ଇଂରାଜୀରେ ଅବଗତ କରାଯାଉଛି । Post navigation ନୂଆବର୍ଷ ପାଳିବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ଜନଜାତିଙ୍କ ଜମି ହସ୍ତାନ୍ତର ସମ୍ପର୍କିତ ସଂଶୋଧନକୁ ପରିଷଦର ନାମଞ୍ଜୁର