ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ବହୁ ସମସ୍ୟା ହେବା ପରେ ଏବେ ଏଥିରେ ସୁଧାର ଆସିଛି। ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆଳୁ ଆସିଲା। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ ବୋଲିଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବଣିକ ମହାସଂଘ ସହ ମନ୍ତ୍ରୀଙ୍କ ଆଲୋଚନା ପରେ ୟୁପିରୁ ୩ ଟ୍ରକ୍ ଆଳୁ ଆସିଛି। ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କୁ ହଇରାଣ କରୁଥିବାରୁ ପଶ୍ଚିମବଙ୍ଗ ପରିବର୍ତ୍ତେ ୟୁପିରୁ ଆଳୁ ଆସିବ। ଆମ ରାଜ୍ୟର ସ୍ବାଭିମାନ ଅଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର।

କିଛିଦିନ ତଳେ ପଶ୍ଚିମବଙ୍ଗରୁ ଆଳୁ ଆସିବାକୁ ଥିଲାବେଳେ ଓଡ଼ିଶା ସୀମାରେ ଅଟକି ରହିଥିଲା ଆଳୁ ଟ୍ରକ । ପରେ ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଗଲେ। ତେବେ ଏହା ମଧ୍ୟରେ ହଠାତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଅନ୍ୟ ରାଜ୍ୟକୁ ଯିବ ନାହିଁ ନିର୍ଦ୍ଦେଶ ଦେଲେ। ତେଣୁ ଓଡିଶା-ପଶ୍ଚିମବଙ୍ଗ ସୀମା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଗାଡି ଫେରାଇନେଲେ ପଶ୍ଚିମବଙ୍ଗ ସରକାର। ସେପଟେ ଓଡ଼ିଶା ବଜାରରେ ଆଳୁର ଅଭାବ ଦେଖାଦେଇଥିବା ବେଳେ ହୁ ହୁ ହୋଇ ବଢୁଛି ଦର। ଓଡ଼ିଶାର ଗୋଦାମ ମାଲିକଙ୍କ ଗାଡି ମଧ୍ୟ ପଶ୍ଚିମବଙ୍ଗରେ ଫସି ରହିଥିଲା।

ଏସବୁ ବାଦବିବାଦ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବାବେଳେ ଆଳୁ ଯୋଗାଣ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା । ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମମତାଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

ଆଳୁ ସମସ୍ୟା ବଢିଚାଲିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ପାଇଁ ସେ ଅନୁରୋଧ କରିଥିଲେ । ନବୀନ ଚିଠିରେ ଲେଖିଥିଲେ, ଓଡ଼ିଶାରେ ଆଳୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ଲଗାଣ ବର୍ଷା ଯୋଗୁଁ ଉତ୍ପାଦନ କମ ସହ ଚାହିଦା ଅଧିକ ହୋଇଥିବାରୁ ଦର ବଢ଼ିଛି। ଓଡ଼ିଶା ସୀମାନ୍ତରେ ଆଳୁ ଟ୍ରକଗୁଡିକ ଅଟକ ରଖାଯାଇଛି। ଓଡ଼ିଶାରେ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ଏଣୁ ଆପଣ ଆଳୁ ଯୋଗାଣ ସ୍ବାଭାବିକ ପାଇଁ ହସ୍ତକ୍ଷେପ କରନ୍ତୁ।

ସବୁ ପ୍ରୟାସ ସତ୍ତ୍ୱେ ପଶ୍ଚିମବଙ୍ଗର ଅସହଯୋଗ ମନୋବୃତ୍ତି ପାଇଁ ଓଡ଼ିଶାକୁ ଆଳୁ ନଆସି ଫେରିଗଲା। ତେଣୁ ଆମେ ଆଉ ତା’ ଉପରେ ନିର୍ଭର କରିବା ନାହିଁ। ଆମେ ଓଡ଼ିଆ, ଆମ ଓଡ଼ିଆ ଅସ୍ମିତାକୁ କାହା ଆଗରେ ମୁଣ୍ଡ ନୂଆଇଁବାକୁ ଦେବା ନାହିଁ। ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରିବା ହିଁ ଏହାର ଉଚିତ ଜବାବ ହେବା ସହ ଆମ ଓଡ଼ିଆ ଅସ୍ମିତାର ଜୟ ହେବ।

Leave a Reply

Your email address will not be published. Required fields are marked *