ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଛି ପୁଲିସ୍। ବିଳମ୍ବିତ ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ଜେରା କରୁଛି ପୋଲିସ । ଏହା ଜାଣିବା ପରେ ବିକ୍ରମଙ୍କ ସମର୍ଥକମାନେ ବୈଦ୍ୟନାଥ ପୁର ଥାନା ସମ୍ମୁଖରେ ହୋହାଲ୍ଲା କରିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ପୀତବାସଙ୍କ ହତ୍ୟା ମାମଲାକୁ ଦୀର୍ଘ ୧୭ ଦିନ ବିତିଯାଇଥିବା ବେଳେ ପୋଲିସ ହାତ ଏଯାଏଁ ଖାଲି ରହିଛି । ଏହାରି ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ଉଠାଇ ନେଇଛି । ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। କିନ୍ତୁ ବିକ୍ରମଙ୍କୁ କେଉଁଠି ରଖାଯାଇଛି, ତାହା କାହାକୁ ବି ଜଣା ନାହି। ପୀତବାସଙ୍କ ହତ୍ୟା ପରଠାରୁ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରାଯାଇଥିବାବେଳେ ୭୦ରୁ ଉର୍ଦ୍ଧ୍ୱ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଇଛି ।

ଅନ୍ୟପଟେ ଖବର ପାଇ ବିକ୍ରମଙ୍କ ସମର୍ଥକମାନେ ବୈଦ୍ୟନାଥପୁର ଥାନାରେ ପହଁଚି ପୋଲିସକୁ ପଚରାଉଚରା କରିଛନ୍ତି । ରାତି ତମାମ ଥାନା ପାଖରେ ସମର୍ଥକମାନେ ଭିଡ଼ ଜମାଇଛନ୍ତି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ହତ୍ୟା ପଛରେ ଦୀର୍ଘଦିନର ରାଜନୈତିକ ଶତ୍ରୁତା କାରଣ ବୋଲି ମଧ୍ୟ ପୋଲିସ ସନ୍ଦେହ କରୁଛି ।

ସେପଟେ ହତ୍ୟାକାରୀ ତଥା ସାର୍ପ ସୁଟର ଚିଣ୍ଟୁକୁ ପୋଲିସ ବେଙ୍ଗାଳୁରୁରୁ ଉଠାଇନେଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ପାଇଛି ପୋଲିସ । ହତ୍ୟାକାଣ୍ଡ ଘଟାଇବା ପରେ ହତ୍ୟାକାରୀ ଫେରାର ହେବା ସହ ପୁରୀ ବେଳାଭୂମିର ବାଲିରେ ପୋତି ଦେଇଥିଲା ବନ୍ଧୁକ । ପୋଲିସ ହାତରେ ବନ୍ଧୁକ ଲାଗିବା ପରେ ପୁରୀରେ ହତ୍ୟାକାରୀର ଅନ୍ୟତମ ସହଯୋଗୀ ରହିଥିବା ପୋଲିସ ଅନୁମାନ କରୁଛି ।

Leave a Reply

Your email address will not be published. Required fields are marked *