petrol pump dealers to stop selling fuel in plastic bottles in Odisha

ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ରାଜ୍ୟ ସରକାର । କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲ ବିକ୍ରୟକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଦ୍ୱାରା ପ୍ରଦତ୍ତ ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ମନ୍ତ୍ରୀ ପାତ୍ର ସଂଘଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ଏହି ନିୟମର ବ୍ୟକ୍ତିଗତ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରାଯିବା ନେଇ ମନ୍ତ୍ରୀ ପାତ୍ର ପ୍ରକାଶ କରିଥିଲେ ।

ମାତ୍ର ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ଖୁଚୁରା ଭାବେ ପେଟ୍ରୋଲ ବିକ୍ରୟ କରାଯିବା ନେଇ ଥିବା ନିୟମ ବଳବତ୍ତର ରହିବ । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏ କ୍ଷେତ୍ରରେ ଅନୈତିକ ଭାବେ ସହଯୋଗ କରୁଥିବା ପେଟ୍ରୋଲ ପମ୍ପ କିମ୍ବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ବିଭିନ୍ନ ସଂଘର କାର୍ଯ୍ୟକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *