ନିଜକୁ ଜନତାଙ୍କ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବାର ୫ ଦିନରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଲେଣି। ସକାଳୁ ରାତି ଯାଏଁ ଲୋକେ ତାଙ୍କୁ ଭେଟି ନିଜର ସମସ୍ୟା ଜଣାଉଛନ୍ତି। ଜନତାଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣି ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଆଶା ଓ ବିଶ୍ୱାସ ଯେ ସେ ତାଙ୍କ ପ୍ରତିଶୃତି ରକ୍ଷା କରିବେ। ଏଯାଏଁ ତାଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନାହିଁ। ଅତିଥି ଭବନରେ ସେ ନିଜର କାର୍ଯ୍ୟ କରୁଛନ୍ତି। ସେ ମଧ୍ୟରେ ଲୋକଙ୍କୁ ଭେଟୁଛନ୍ତି। ସକାଳୁ ରାତି ଯାଏଁ ତାଙ୍କ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଭିଡ଼।

ସେ ଲୋକଙ୍କ ଜଣାଇଦେବାକୁ ଚାହୁଁଛନ୍ତି ଯେ ସେ ଜନତାଙ୍କ ମୁଖ୍ୟମନ୍ତ୍ରୀ। ଯେକୌଣସି ସମୟରେ ବିନା ଦ୍ବିଧାରେ ଲୋକେ ତାଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଇପାରିବେ। କାରଣ ଲୋକେ ହିଁ ତାଙ୍କୁ ଗାଦିରେ ବସାଇଛନ୍ତି। ନିଜକୁ ଓଡ଼ିଶାବାସୀଙ୍କ ସେବକ ବୋଲି କହିଛନ୍ତି।

ଅପରପକ୍ଷରେ ଏବେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ପାଖରେ ବିଶେଷ କାର୍ଯ୍ୟଭାର ନାହିଁ। ଆଗକୁ ଦାୟିତ୍ୱ ଓ କାମର ଚାପ ବଢ଼ିଲେ ହୁଏତ ସେ ପୂର୍ବଭଳି ଲୋକଙ୍କୁ ସମୟ ଦେଇ ନପାରନ୍ତି। ଏପରି ହେବା ବି ସ୍ୱାଭାବିକ। ହେଲେ ସେ ବ୍ୟସ୍ତତା ମଧ୍ୟରେ ବି ସାଧାରଣ ଜନତାଙ୍କ ପାଇଁ ସମୟ ବାହାର କରିବେ। ଲୋକଙ୍କ ଦୁଃଖ ବୁଝିବେ ଓ ସେମାନଙ୍କ ଅସମୟରେ ଦମ୍ଭ ହୋଇ ଛିଡ଼ା ହେବେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କର୍ମଯୋଗୀ ଥିଲେ ମଧ୍ୟ ସେ କେବେ ଲୋକଙ୍କ ନିକଟକୁ ଯାଆନ୍ତିନି କି ସମସ୍ୟା ବୁଝନ୍ତିନି। ତାଙ୍କର ରାଜ୍ୟ ପରିଚାଳନା ଭିନ୍ନ ଥିଲା। ସେ ଅଫିସର ଓ ନେତାଙ୍କୁ ଲୋକଙ୍କ ଦାୟିତ୍ୱ ଦେଇ ନିଶ୍ଚିନ୍ତରେ ବସିରହୁଥିଲେ। ନିଜେ କେବେ ଲୋକଙ୍କ ଦୁଆରରେ ଛିଡ଼ା ହୋଇନାହାଁନ୍ତି।

Leave a Reply

Your email address will not be published. Required fields are marked *