ଏଣିକି ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ଦେବାକୁ ରହିବା ରେଜିଷ୍ଟର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ଲୋକସେବା ଭବନରେ ବିଭାଗୀୟ ଅଧିକାରୀମାନଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ତହସିଲ ଓ ସବରେଜିଷ୍ଟ୍ରାର ଅଫିସରେ ଗୋଟିଏ ଲେଖାଏଁ ରେଜିଷ୍ଟର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ । ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ସହିତ ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଗଲେ ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ । ଏହାସହିତ ରାଜ୍ୟରେ ତହସିଲଗୁଡ଼ିକରେ ପଡ଼ିରହିଥିବା ମ୍ୟୁଟେସନ୍ ମାମଲାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଓ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାଁରେ ସଂଶୋଧନ କରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନୁଷ୍ଠାନମାନଙ୍କୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ବ୍ୟବହାର କରୁନାହାନ୍ତି ତା’ହେଲେ ସେହି ଜମିକୁ ସରକାର ଫେରାଇନେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିବା ସହ ରାଜସ୍ୱ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା, ବାସସ୍ଥାନ, ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । Post navigation ଗୋ ନବରାତ୍ର ମହୋତ୍ସବ; ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଝଟକା; ବିଜେଡି ଛାଡ଼ି ବିଜେପିରେ ମିଶିଲେ ୧୮ ସରପଞ୍ଚ ଓ ନାଏବ ସରପଞ୍ଚ