ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି । ଆଜି ବସିଥିବା ପୁରୀ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ସେ କହିଛନ୍ତି ସେବାୟତଙ୍କ ଦରମା ବୃଦ୍ଧି, ସେବାୟତଙ୍କ କନ୍ୟା ବିବାହ ରାଶି ବୃଦ୍ଧି, ଏଟିଏମରେ ଶ୍ରୀମନ୍ଦିରକୁ ଦାନ, ରତ୍ନ ଅଳଙ୍କାର ଗଣତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ୍ ଲାଗୁ ହେବ । ସେହିପରି ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ବୃଦ୍ଧି କରାଯାଇଛି ।

ଏହା ସହ ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ଏଟିଏମରେ ଆସିବ ମେସେଜ୍ । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଏଟିଏମରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ । ରସିଦ୍‌ ବାହାରିବା ପୂର୍ବରୁ ଏଟିଏମରେ ଏକ ମେସେଜ ଆସିବ । ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ କିଛି ଦାନ କରିବାକୁ ଚାହୁଁଛନ୍ତି କି ବୋଲି ମେସେଜ ଆସିବ । ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ । ଏନେଇ ଆମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ।

ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । କାଠ ରାମ୍ପ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରଭାବିତ କରିବ ନାହିଁ ସେନେଇ ପୁର୍ନବାର ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିବ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନ ଅଳଙ୍କାର ସୂଚନା ଦେଇଛନ୍ତି ।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣତିମଣତି ନେଇ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଯେତେବେଳେ ଶ୍ରୀମନ୍ଦିରରେ ଅଧିକ ନୀତିକାନ୍ତି ନ ଥିବ ସେତେବେଳେ ଗଣତି କରାଯିବ । ଫଳରେ ସୁରୁଖରେ ଗଣତିମଣତି ହୋଇପାରିବ । ଆଗକୁ ମହାପ୍ରଭୁଙ୍କ ପହିଲିଭୋଗ ନୀତି ସହିତ ଇଂରାଜୀ ନୂତନ ବର୍ଷ ଆସୁଛି । ତେଣୁ ଏହି ସମୟ ନୀତି ବହୁଳ ଥିବାରୁ ପର୍ଯ୍ୟାୟକ୍ରମେ ରତ୍ନ ଅଳଙ୍କାର ଗଣତି କରାଯିବ । ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟଙ୍କୁ ନେଇ ଅତିରିକ୍ତ ଏସଓପି ପ୍ରସ୍ତୁତ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।

ସେହିପରି ଶ୍ରୀଜୀଉଙ୍କ ସ୍ୱର୍ଣ୍ଣ ଅଳଙ୍କାରର ଆଉ ଗୋଟିଏ ସେଟ୍ ତିଆରି ପ୍ରସ୍ତାବ ବୈଠକରେ ଗୃହୀତ ହୋଇଛି । ଭକ୍ତମାନେ ଚାହିଁଲେ ସ୍ୱଇଚ୍ଛାରେ ରତ୍ନ ଅଳଙ୍କାର ପାଇଁ ଦାନ କରିବେ । ସ୍ଵର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ।

ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି । ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧିନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ, ରୂପା ଇଟା ଅଣାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ।

ଅରବିନ୍ଦ ପାଢ଼ୀ ଆଉ ମଧ୍ୟ କହିଛନ୍ତି; ପୁରୀ ବାସିନ୍ଦାଙ୍କ ଦର୍ଶନ ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଉପରେ ଆଲୋଚନା ହୋଇଛି । ଅନ୍ୟ ଭକ୍ତମାନଙ୍କର ଯେଭଳି କିଛି ଅସୁବିଧା ନ ହେବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *