ବର୍ତ୍ତମାନର ବିଜେପି ଡବଲ ଇଞ୍ଜିନ ସରକାରରେ ମଣ୍ଡି ଭିତ୍ତିଭୂମି ସୁଦୃଢ଼, ସୁବ୍ୟବସ୍ଥିତ ଢଙ୍ଗରେ ଧାନ କ୍ରୟ, ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ସରକାର, ମିଲର ଓ ପ୍ରସାଶନ ସଲାସୁତୁରାରେ ବିଭିନ୍ନ ସ୍ଥାନରେ ବିଳମ୍ବରେ ମଣ୍ଡି ଖୋଲାଯାଇ ଚାଷୀ କିପରି ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ତାହା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ସଦର ବ୍ଳକ ପଲାସପଙ୍ଗା ଲ୍ୟାମ୍ପ୍ସରୁ ଜଣାପଡ଼ିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଗତ ୨୮ ତାରିଖରେ ଏକ ପ୍ରତିନିଧି ମଣ୍ଡଳୀରେ କେନ୍ଦୁଝର ଜିଲ୍ଲାକୁ ଗସ୍ତକରି ସଦର ବ୍ଳକର ପଲାସପଙ୍ଗା ମଣ୍ଡି ଅନ୍ତର୍ଗତ ବିସ୍ତାପାଳଠାରେ ଶତାଧିକ ଚାଷୀଙ୍କସହ ଆଲୋଚନା କରିବା ପରେ ଏହି ଅଭିଯୋଗ କରିଛନ୍ତି । ଅମିୟ କୁମାର କହିଛନ୍ତି ସରକାର ଗତ ନଭେମ୍ବର ୧ ତାରିଖଠାରୁ ମଣ୍ଡି ଖୋଲିବେବୋଲି କହିଥିଲେ । କିନ୍ତୁ ମଣ୍ଡି ଖୋଲିଲା ନଭେମ୍ବର-୨୮ । କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳର ଚାଷୀ ୪୦ ପ୍ରତିଶତରୁ ଅଧିକ ଧାନ ଶାଗ ମାଛ ମୂଲ୍ୟରେ ଅର୍ଥାତ କ୍ୱିଣ୍ଟାଲ ପ୍ରତି ୧୬ଶହ ଟଙ୍କା ଦରରେ ବିକ୍ରି କରିବା ପରେ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ଦିନ ଧର୍ମକୁ ଆଖିଠାର ସଦୃଶ ପଲାସପଙ୍ଗା ମଣ୍ଡି ଉଦ୍ଘାଟନ କରିଛନ୍ତି । କିନ୍ତୁ ଏହି ମଣ୍ଡିରେ ଧାନକିଣା ପ୍ରକ୍ରିୟା ୧୧ ତାରିଖରୁ ହେବ । ଜାନୁଆରୀ ୧୪ରେ ମକର ଥିବାରୁ ଜିଲ୍ଲାର ପ୍ରମୁଖ ଗଣପର୍ବ ମକର ପାଳନ ପାଇଁ ଆଉ ଅବଶିଷ୍ଠାଂଶ ବଳକା ଧାନକୁ ଏବେ ଚାଷୀ ବେପାରୀଙ୍କୁ ତରବରିଆ ଭାବେ ବିକ୍ରି କରି ଚାଲିଛନ୍ତି । ଯୋଗାଣ ବିଭାଗ, ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି । ଏହି ଜିଲ୍ଲାରେ ଚାଷୀ ୮୦୦ ଟଙ୍କା ଇନପୁଟ୍ସ ସହାୟତା ସହିତ ଧାନ କ୍ୱିଣ୍ଟାଲ ୩୧୬୯/- ପାଇବା ତ ଦୂରର କଥା ଏହାର ଅଧା ଦର ପାଇବା ଏବେ କଷ୍ଟ ହୋଇ ପଡ଼ୁଛି । ଏଠାରେ ମିଲର ମାଧ୍ୟମରେ ବେପାରୀଙ୍କ ଜରିଆରେ ଧାନ କିଣା ସରିଲାଣି । ଯେଉଁ ଚାଷୀଙ୍କ ନିକଟକୁ ଟୋକନ ଆସିଛି ସେମାନଙ୍କଠାରୁ ଫେବୃଆରୀରେ ଧାନ କିଣାଯିବ ବୋଲି ସୂଚନା ଦିଆଯାଇଛି । ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କଠାରୁ ଲକ୍ଷ୍ୟଧାର୍ଯ୍ୟ ମୁତାବକ ଧାନ କ୍ରୟ କରାଯାଉ ନାହିଁ । ଯାହାର ନିଚ୍ଛକ ନମୁନା ଏହି ଲ୍ୟାମ୍ପ୍ସ ଅନ୍ତର୍ଗତ ଚାଷୀ ସୁବ୍ରତ କୁମାର ପ୍ରଧାନ ଏହାର ଶିକାର ହୋଇଛନ୍ତି । ଚାଷୀ ଗଣେଷ ପାତ୍ର, ଚିତ୍ତରଞ୍ଜନ ନାୟକ, ହୃଷିକେଶ ବାରିକ ପ୍ରମୁଖ ବହୁ ଚାଷୀ ଏହାର ଅଭିଯୋଗ କରିଛନ୍ତି । ଯଦି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଧାନ କିଣାରେ ଏପରି ଅବ୍ୟବସ୍ଥା ଘଟୁଛି, ତେବେ ସାରା ରାଜ୍ୟରେ ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥା କିପରି ଚାଲିଛି ତାହା ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କାଳ ବିଳମ୍ବନ କରି କଥା ଦେଇ କଥା ରଖିଲେ ବୋଲି ସ୍ଲୋଗାନ ଦେବା ଅପେକ୍ଷା ମୁଖ୍ୟମନ୍ତ୍ରୀ ତୁରନ୍ତ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ଓ ଆନନ୍ଦପୁର ସମତଳ ଅଞ୍ଚଳର ସମସ୍ତ ଚାଷୀଙ୍କଠାରୁ ତୁରନ୍ତ ଧାନ କିଣିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ଜେନାଙ୍କ ପରାମର୍ଶ କ୍ରମେ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସହିତ ପ୍ରତିନିଧି ମଣ୍ଡଳୀରେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ,ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ସଂଗ୍ରାମ ଦାସ, ସଦର ବ୍ଳକ ପୂର୍ବତନ ସଭାପତି ଉତ୍ତମ କୁମାର ସାହୁ ପ୍ରମୁଖ ନେତୃମଣ୍ଡଳୀ ଏହି ଅଞ୍ଚଳ ଗସ୍ତ କରିବା ପରେ ଏପରି ଅବ୍ୟବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । Post navigation Puri Ratha Yatra 2026: ୨୦୨୬ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା