୨୦୨୪ ମସିହାରେ ବିଜୁ ଜନତା ଦଳ କ୍ଷମତାଚ୍ଯୁତ ହେଲା। ଯେଉଁ ଯୁବନେତାମାନଙ୍କର ବାପା ରାଜନୀତିରେ ଜଣେଜଣେ କିମ୍ବଦନ୍ତୀ ନାୟକ ସାଜିଥିଲେ, ସେମାନଙ୍କ ପୁଅମାନେ ନିର୍ବାଚନରେ ପରାଜିତ ହୋଇଥିଲେ । ବାପାଙ୍କ ଲିଗାସିକୁ ବଜାୟ ରଖିବା ପାଇଁ ୬ ଜଣ ଯୁବନେତା ପ୍ରିୟା ହୋଟେଲରେ ଏକାଠି ହୋଇଥିଲେ। ସେମାନେ ହେଲେ ଡ. ଦାମୋଦର ରାଉତଙ୍କ ପୁଅ ସଜ୍ଜିତ ରାଉତରାୟ, ପ୍ରଫେସର କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥୀ ବେହେରା, ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି, ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରାଥୀ, କଳ୍ପତରୁ ଦାସଙ୍କ ପୁଅ ଜିତୁ ବଳବନ୍ତରାୟ ଏବଂ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟ। ସେତେବେଳେ ଏହା ଖୁବ୍ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଏହା ଭିତରେ ଏହି ୬ ବିଜଦ ଯୁବନେତା ଅନେକ ଥର ଏକାଠି ହୋଇଛନ୍ତି । କିନ୍ତୁ ଆଉ ବିଶେଷ ଆଲୋଚନା ହେଉ ନଥିଲା। କିନ୍ତୁ କାଲି ଚନ୍ଦକାର ଝୁମୁକା ନିକଟରେ ଏକ ରିସର୍ଟରେ ମିଳିତ ହୋଇଥିଲେ ପରାଜିତ ନେତାମାନେ । ମାତ୍ର ସଂଖ୍ୟା ହୋଇଯାଇଥିଲା ୬ରୁ ୬୦ । ଆଉ ଉପକୂଳ ଭିତରେ ଏହି ସଂଖ୍ୟା ସୀମିତ ନଥିଲା । ଗତ ନିର୍ବାଚନରେ ପରାଜିତ ହୋଇଥିବା ଅନେକ ବିଜୁ ଜନତା ଦଳ ପ୍ରାର୍ଥୀ କାଲି ଝୁମୁକା ବୈଠକରେ ସାମିଲ ହୋଇଥିଲେ । ବହୁ ବିଷୟରେ ଆଲୋଚନା ହୋଇଥିଲା। ଏହାପରେ ରାଜନୀତିରେ ଆରମ୍ଭ ହୋଇଯାଇଥିଲା ତୁମୂଳ ଆଲୋଡ଼ନ । ନୂଆବର୍ଷ ପୂର୍ବରୁ ଏ ଧରଣର ବୈଠକ ବିଜୁ ଜନତା ଦଳ ଭିତରେ ଆଉ ଏକ ନୂଆ ସମୀକରଣର ସଂକେତ ଦେଉଛି । ଅବଶ୍ୟ ଖୋର୍ଦ୍ଧାର ପରାଜିତ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ‘ହାରି କି ଅଛୁ, କେହି ଆମର ବଙ୍କା ପରିପାରିବେ ନାହିଁ ବୋଲି ମନ୍ତବ୍ୟ ଦେଇ କିଛିଟା ଭିନ୍ନ ଆଲୋଚନା ପାଇଁ ସୁଯୋଗ ଦେଇଛନ୍ତି । ମାତ୍ର ଏହା ଫଳରେ ବୈଠକର ଅସଲ ଉଦ୍ଦେଶ୍ୟ କୌଣସିମତେ ନଷ୍ଟ ହୋଇଯାଇ ନାହିଁ । ସମ୍ବିତ କହିଛନ୍ତି, ନେତାମାନେ ଏକାଠି ହେଲେ ରାଜନୀତି ଆଲୋଚନା ହୁଏ । ଏହା ଏକ ବଢ଼ ସଂକେତ । ମହୀଧର ରଣା କହିଛନ୍ତି, ଆମେ ଭବିଷ୍ୟତ କଥା ମଧ୍ୟ ଆଲୋଚନା କରିଛୁ । କିନ୍ତୁ ଏହି ବୈଠକ ପଛରେ ଏକ ବଡ଼ ରାଜନୈତିକ ଉଦ୍ଦେଶ୍ୟ ଅଛି । ଜିତୁ କହିଛନ୍ତି, ଆଗରୁ ନାଁକଲା ବାପାଙ୍କର ପୁଅ ଏକାଠି ହେଉଥିଲୁ । କିନ୍ତୁ ଆମ ସହିତ ଏବେ ଅନେକ ଯୋଗ ଦେଇଛନ୍ତି । ବିଜୁ ଜନତା ଦଳକୁ ଦୁଇ ଭାଗରେ ବିରକ୍ତ କରାଯାଇପାରେ। ଯେଉଁମାନେ ଜିଣି ବିଧାୟକ ହୋଇଛନ୍ତି । ଏହି ପ୍ରଥମ ବର୍ଗରେ ମଧ୍ୟ ତାଳମେଳ ନାହିଁ । ଗୋଟିଏ ଗୋଷ୍ଠୀ ପାଣ୍ଡିଆନ ସମର୍ଥକ, ଆଉ ଏକ ଗୋଷ୍ଠୀ ପାଣ୍ଡିଆନ ବିରୋଧୀ । ଯଦିଓ ପାଣ୍ଡିଆନ ସକ୍ରିୟ ଭାବେ ବିଜଦରେ ନାହାନ୍ତି । କିନ୍ତୁ ଦଳ ଭିତରେ ଗୋଟିଏ ବଡ଼ ଫାଟ ପଢ଼ି ସାରିଛି । ଦ୍ଵିତୀୟ ବର୍ଗ ହେଲେ ଯେଉଁମାନେ ଗତ ନିର୍ବାଚନରେ ହାରିଛନ୍ତି। ଏବେ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼ାଇ ବି ଏହି ଗୃପକୁ ଆସିଛନ୍ତି। ତାଙ୍କ ସହ ଆସିଛନ୍ତି ପୁଷ୍ପେନ୍ଦ୍ର ସିଂହଦେଓ । ଏମାନଙ୍କର ବଳ ବଢ଼ିଛି। ଭବିଷ୍ୟତ ପାଇଁ ଏମାନେ ଚିନ୍ତିତ ମଧ୍ୟ । ୬୦ ଜଣ ପରାଜିତ ପ୍ରାର୍ଥୀଙ୍କ ମନରେ ଗୋଟିଏ ବଡ଼ କ୍ଷୋଭ ରହିଛି ଯେ ଭାଜପା ପାଇଁ ନୁହେଁ ଦଳ ପାଇଁ ସେମାନେ ହାରିଛନ୍ତି। ମଜାର କଥା ହେଉଛି ଏହି ଦ୍ଵିତୀୟ ବର୍ଗର ସଂଖ୍ୟା ପ୍ରଥମ ବର୍ଗଠାରୁ ଅଧିକ। ଏହିମାନେ ବିଜଦ ରାଜନୀତିକୁ ନୂଆ ମୋଡ଼ ଦେଇପାରିବେ। ଝୁମୁକା ବୈଠକରେ ରାଜନୈତିକ ଆଲୋଚନା ହୋଇଛି। ଭୋଜି ଭାତ କରାଯାଇଛି। ତା’ ସହି ସହିତ ନାଚଗୀତ ମଧ୍ୟ ହୋଇଛି। ଆଗାମୀ ଦିନ ପାଇଁ ଏମାନେ ରାଜ୍ୟ ରାଜନୀତିକୁ ବଡ଼ ନହେଲେ ମଧ୍ୟ ଏକ ଭିନ୍ନ ମୋଡ଼ ଦେଇପାରିବେ। ମୁଖ୍ୟ ବିରୋଧୀ ଦଳ ବିଜଦ ଅବସ୍ଥା ଯାହା ନୂଆ ଏକ ଆଞ୍ଚଳିକ ଦଳ ଗଠନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଦଳ ଯଦି ଏକ ଆଞ୍ଚଳିକ ଦଳ ଗଠନ ହୁଏ, ତେବେ ବିଜଦ ପାଇଁ ପରାଜିତ ଗୋଷ୍ଠୀ ଅନେକ କିଛି ପରିବର୍ତ୍ତନ କରାଇ ପାରିବେ । ଏମାନଙ୍କୁ ବିଜଦ ନେତୃତ୍ଵ ଗୁରୁତ୍ବ ଦେଉନାହିଁ ଯଦି ଆଞ୍ଚଳିକ ଦଳ ଗଢ଼ାହୋଇଯାଏ ତେବେ ଏମାନେ ଏହି ପଟ୍ଟ ପରିବର୍ତ୍ତନରେ ବଡ଼ ଭୂମିକା ନେବା ବିଚିତ୍ର ନୁହେଁ। ସଂଖ୍ୟା ବଢ଼ିଛି, ୬ରୁ ୬୦ ହୋଇଛି। ଆଗାମୀ ଦିନରେ ବିଜୁ ଜନତା ଦଳର ବିଧାୟକମାନେ ଯଦି ଏମାନଙ୍କ ସହିତ ସାମିଲ ହୁଅନ୍ତି, ତେବେ କେଉଁଆଡ଼କୁ ବିଜଦ ରାଜନୀତି ଯିବ ତାହା ଅନୁମାନ କରାଯାଇପାରେ। Post navigation WHO Global Summit: WHO ର ଦ୍ୱିତୀୟ ଗ୍ଲୋବାଲ୍ ଶିଖର ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି