ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଅଚଳ ହୋଇଯାଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା । ସାର ସମସ୍ୟା ନେଇ ବିରୋଧୀଙ୍କ ହୋହ୍ଲାଲା ଏବଂ ନାରାବାଜୀରେ ଗୃହ କାର୍ଯ୍ୟ ମାତ୍ର ୪ ମିନିଟ୍ ଚାଲି ପାରିଛି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ସୁରମା ପାଢୀ ।

ସୂଚନା ଯୋଗ୍ୟ; ଅଧିବେଶନର ଦ୍ୱିତୀୟ ଦିନର ପ୍ରଶ୍ନୋତ୍ତର କାଳରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ବାଚସ୍ପତି ଉତ୍ତର ରଖିବାକୁ ଡାକିଥିଲେ । ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖୁଥିବାବେଳେ ବିଜେଡ଼ି ସାର ଅଭାବ ପ୍ରସଙ୍ଗ ଉଠାଇଥିଲା । ବିରୋଧୀ ସଦସ୍ୟମାନେ ବ୍ୟାନର୍ ଏବଂ ପ୍ଲା କାର୍ଡ ଧରି ସିଧାସଳଖ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।

ସେପଟେ ସାର ସଙ୍କଟକୁ ନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । କଂଗ୍ରେସ ଅଭିଯୋଗ କରିଛି ଯେ ‘ରାଜ୍ୟର ଚାଷୀ ହନ୍ତସନ୍ତ, ରାଜ୍ୟ ସରକାର ଚୁପ୍’ । ସାର କଳାବଜାରୀରେ ଦଲାଲ୍ ମାଲେମାଲ୍ ହେଉଥିବା ଅଭିଯୋଗ ହୋଇଛି ।

ଗୃହ ମୁଲତବି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ସାର ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ୬୦ ପ୍ରତିଶତ ଚାଷୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ । ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ସାର ପ୍ରସଙ୍ଗରେ କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇପାରିଥାନ୍ତା । ଚାଷୀ ଓ ସାର ସମସ୍ୟା ଆଲୋଚନା ନହେଲେ ଗୃହ ଚଳାଇ ଦେବୁନି ।

Leave a Reply

Your email address will not be published. Required fields are marked *