ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଅନେକ ସମାଲୋଚନାର ଶୀକାର ହେଉଛି । ଏହାରି ମଧ୍ୟରେ ଏହି ବିଭ୍ରାଟ ଘଟଣାରେ ଓସିଏକୁ ଜବାବ ମାଗିଛି ରାଜ୍ୟ କ୍ରୀଡ଼ା ବିଭାଗ । କାହିଁକି ଫ୍ଲଡ୍ ଲାଇଟ୍ ବିଭ୍ରାଟ ହେଲା ତାହାକୁ ନେଇ ଆଗାମୀ ୧୦ ଦିନର ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କ୍ରୀଡ଼ା ବିଭାଗ । ଏ ନେଇ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ତ୍ରୁଟି ପାଇଁ କେଉଁ ବ୍ୟକ୍ତି ବା ଏଜେନ୍ସୀ ଦାୟୀ ଜାଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଲାଇଟ୍ ଜେନେରେଟରରେ ଏକ ଯାନ୍ତ୍ରିକ ତ୍ରୁଟିକୁ ଏହି ବିଫଳତା ପାଇଁ ଦାୟୀ କରିଛି। ଓସିଏ ସଚିବ ସଞ୍ଜୟ ବେହେରା କହିଛନ୍ତି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଭୁଲ ହୋଇଛି। ଲାଇଟ୍ ଚାଲିଯିବା ପରେ ଜେନେରେଟେର ବ୍ୟାକଅପ୍ ରହିଥିଲା। କିନ୍ତୁ ଖେଳାଳି ବସ୍ ଆଗରେ ରହିଯିବାରୁ ଜେନେରେଟର ଆସିପାରିନଥିଲା। ଦୁର୍ଭାଗ୍ୟବଶତଃ ଖେଳାଳିଙ୍କ ଡ୍ରାଇଭର୍ ଖେଳ ଦେଖିବାକୁ ଚାଲିଯାଇଥିଲେ। ଫଳରେ ଏହା ବିଳମ୍ବ ହୋଇଥିଲା। ଡ୍ରାଇଭରଙ୍କୁ ଫୋନରେ ଡକାଇବା ପରେ ବସ୍ ଘୁଞ୍ଚିଲା। ତାପରେ ସେ ବାଟରେ ଜେନେରେଟର ଆସିଲା । ସୂଚନା ଯୋଗ୍ୟ; ବାରବାଟୀରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ମ୍ୟାଚର ଦ୍ୱିତୀୟ ଇନିଂସରେ ମ୍ୟାଚ୍ ଫ୍ଲଡ୍ଲାଇଟ୍ସ ଯୋଗୁଁ ପ୍ରଭାବିତ ହୋଇଥିଲା। ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍ଲାଇଟ୍ସର ଗୋଟିଏ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍କୁ ବନ୍ଦ କରାଯାଇଥିଲା। Post navigation ବାରବାଟୀ ବିଭ୍ରାଟ: ଓସିଏର ବିଚିତ୍ର ସ୍ପଷ୍ଟୀକରଣ, ଆକ୍ସନ ମୋଡ଼ରେ ସରକାର ମହାକୁମ୍ଭର ତ୍ରିବେଣୀ ସ୍ଥଳରେ ବୁଡ଼ ପକାଇଲେ ମହାମହିମ ଦ୍ରୌପଦୀ ମୁର୍ମୁ