ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ଶୁକ୍ରବାର ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍‌ରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା । ଅଧିନିୟମ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ ରହିବ । ସମସ୍ତ ଅପରାଧରେ ରଫାଦଫା ହେବନି କିମ୍ବା ବୁଝାମଣା ମଧ୍ୟ କରାଯିବନି । ବ୍ୟକ୍ତିଗତ ଭାବେ ଅପରାଧ ପ୍ରମାଣିତ ହେଲେ ୩ରୁ ୫ ବର୍ଷ ଜେଲ୍‌ ଭୋଗିବାକୁ ପଡ଼ିବ । ଏପରିକି ଜେଲ୍ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ ସଂପୃକ୍ତ ବ୍ୟକ୍ତି। ଜରିମାନା ନ ଦେଲେ ଆଇନ ଅନୁସାରେ ଅଧିକ ଜେଲ୍ ଦଣ୍ଡ ଭୋଗିବେ।

ସେହିପରି ସେବା ଯୋଗାଣକାରୀ ସଂସ୍ଥା ଗଫଲତି କଲେ ଏକ ୧ ଟଙ୍କା ଜରିମାନା ଦେବା ସହ ସଂପୃକ୍ତ ଅଧିକାରୀଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ୍ ଦଣ୍ଡ ହେବ। ଏହା ସହିତ ସେବା ଯୋଗାଣକାରୀ ସଂସ୍ଥାଠାରୁ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ । ଏପରିକି ସଂପୃକ୍ତ ସଂସ୍ଥାକୁ ୪ ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ଦାୟିତ୍ବ ଦିଆଯିବନି। ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବ, ତା’ହେଲେ ତା’ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ ଏବଂ ସେଥୁରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ଯ ଆଦାୟ କରାଯିବ।

ଏହାପୂର୍ବରୁ ବିଭିନ୍ନ ପରୀକ୍ଷାରେ ବିଭ୍ରାଟ ନେଇ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ। ଏପରିକି ପୂର୍ବ ସରକାରରେ ଚାକିରି ବିକ୍ରି ହେଉଥିବା ନେଇ ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Reply

Your email address will not be published. Required fields are marked *