ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର ଓ ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଆଇନ ଶୃଙ୍ଖଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ଏକ ଲମ୍ୱା ତାଲିକା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି କହିଛି ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ ଉପସ୍ଥାପନ କରିଛି । ଡ଼ ସସ୍ମିତ ପାତ୍ର କହିଛନ୍ତି, ଗତ ୧୮ ମାସର ବିଜେପି ଶାସନରେ ଓଡିଶା କେବଳ ନିଜ ରାଜ୍ୟ ଭିତରେ ନୁହେଁ ବରଂ ଜାତୀୟ ସ୍ତରରେ ଗୋଟିଏ କ୍ଷେତ୍ରରେ ନିନ୍ଦା ଓ ଲଜ୍ଜ୍ୟା ପାଇଛି, ଯାହା ହେଉଛି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ମୂଳଦୁଆ ପଡିଥିଲା, ମାନ୍ୟବର ରାଜ୍ୟପାଳଙ୍କ ପୁଅ ଦ୍ୱାରା । ପୁରୀ ସ୍ଥିତ ରାଜ୍ୟପାଳଙ୍କ ବାସଭବନ ଭିତରେ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ସହିତ ଜୋତାରେ ଛେପ ପକାଇ ତାଙ୍କୁ ଚାଟିବାକୁ ବାଧ୍ୟ କରାଯାଇଥିଲା । ଏହି ନିନ୍ଦନୀୟ ଘଟଣାକୁ ରାଜ୍ୟ ବିଜେପି ସରକାର ଚାପି ଦେଇଥିଲେ । ସେହିପରି ବିଜେପି କର୍ମୀ ମାନଙ୍କ ଦ୍ୱାରା ବିଏମ୍ସି କମିସନରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାଟି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ନ୍ୟାୟ ପ୍ରଦାନ କରିବାରେ ବିଜେପି ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇ ଚାଲିଛି । ଗତ ୧୮ ମାସରେ ରାଜ୍ୟରେ ୪୦,୯୪୭ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଏହି ସଂଖ୍ୟାରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା କୁହନ୍ତୁ କି ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା କୁହନ୍ତୁ ବା ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲା ହେଉ କି ଧଉଳି ଗଣଦୁଷ୍କର୍ମ ମାମଲା ହେଉ, ଏହି ଘଟଣା ସବୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇ ଓଡିଶା ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ଏହାଛଡା ଅପରାଧ କ୍ଷେତ୍ରରେ ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଭାବେ ଚିହ୍ନିତ ହୋଇ ଏକ ଅଲୋଡ଼ା କୀର୍ତ୍ତିମାନ ହାସଲ କରିଛି । ସସ୍ମିତ ପାତ୍ର କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନରହିଲେ ରାଜ୍ୟର ବିକାଶ ଉପରେ ବାଧକ ହୋଇଥାଏ । ଏହା ମଧ୍ୟ ଗତ ୧୮ ମାସରେ ଦେଖିବାକୁ ମିଳିଛି । ଗୁରୁ ଖଣିଜ ସମ୍ପଦରୁ ରାଜ୍ୟକୁ ମିଳୁଥିବା ରାଜସ୍ୱ ଯଥାକ୍ରମେ ୫୦,୦୦୦ କୋଟିରୁ ୩୪,୦୦୦ କୋଟିକୁ ଖସିଆସିଛି । ସେହିପରି ଲଘୁ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ଖସିଆସିଛି । ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି ପାଇଁ ହେଉଥିବା ପରୀକ୍ଷା ଗୁଡିକ ଠିକ ଭାବେ ହୋଇପାରୁନାହିଁ । ଗତ ୧୮ ମାସରେ ୨୦ଟି ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଦୁର୍ନୀତିକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ଦେବା ପାଇଁ ବାଧ୍ୟ ହୋଇଥିଲେ । ରାଜ୍ୟର ଗୃହ ମନ୍ତ୍ରାଳୟର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି, କିନ୍ତୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ରଖିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିପରି ଡ଼ ଲେନିନ ମହାନ୍ତି କହିଥିଲେ, ଗତ ଏକ ବର୍ଷଟି ଗଣଦୁଷ୍କର୍ମର ବର୍ଷ ହୋଇଛି । ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ମହିଳା ମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଅନୁଭବ ହେଉଛି । ଏଥିଯୋଗୁଁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ପାଇଛି । ଏକାଧିକ ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟଣା ଘଟିବା ପରେ ଆମେରିକା ଏକ ଟ୍ରାଭେଲ ଆଡ଼ଭାଇଜରୀ ଜାରି କରି ଓଡିଶା ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନୁହେଁ ବୋଲି କହିବା ସହିତ ଏଠାକୁ ଆସିବାକୁ ଆମେରିକୀୟ ନାଗରିକ ମାନଙ୍କୁ ବାରଣ କରିଥିଲା । ଏହାଦ୍ୱାରା ଓଡିଶା ସମଗ୍ର ବିଶ୍ୱରେ ନିନ୍ଦିତ ହୋଇଥିଲା । ସେହିପରି ବିଗତ ବର୍ଷଟି ମଧ୍ୟ ଦଙ୍ଗାର ବର୍ଷ ହୋଇଛି । ରାଜ୍ୟ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ କଟକ ଭଳି ଭାଇଚାରାର ସହରରେ ଦଙ୍ଗାର ଅଲୋଡ଼ା କୀର୍ତ୍ତିମାନ ସ୍ଥାପିତ ହେଲା । ଆଶା କରିବା ଇଂରାଜୀ ନୂତନ ବର୍ଷ ଠାରୁ ରାଜ୍ୟରେ ଶାନ୍ତି ଫେରି ଆସୁ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସୁ, ରାଜ୍ୟବାସୀ ନିଜକୁ ସୁରକ୍ଷିତ ମଣନ୍ତୁ । Post navigation First Woman Chief Secretary : ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ IAS Promotion: ୩ ବରିଷ୍ଠ ଆଇଏଏସଙ୍କୁ ମିଳିଲା ପ୍ରମୁଖ ସଚିବ ପାହ୍ୟା ପଦୋନ୍ନତି