ରାଜ୍ୟ ସରକାର ବଡ଼ ପଦକ୍ଷେପ । ରାଜ୍ୟରେ ବନ୍ଦ ହେଲା ସବୁ ପ୍ରକାର ତମାଖୁ ସାମଗ୍ରୀ। ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଲେ ସରକାର। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ହେବ ଏବଂ ଏଭଳି ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗାଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ପ୍ରତିବନ୍ଧକ ଲଗାଯିବ। ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାକୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଏହାସହ ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ବିଶ୍ବ ବୟସ୍କ ତମାଖୁ ସର୍ବେକ୍ଷଣର ଦ୍ବିତୀୟ ରାଉଣ୍ଡରେ ଓଡ଼ିଶାର ୪୨% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ। ତେଣୁ ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ ଏହି ନିଷେଧ ଲାଗୁ କରାଯାଇଛି। ଏହି ନିଷେଧାଜ୍ଞା ଖାଦ୍ୟ ସୁରକ୍ଷା ଓ ମାନକ ଆଇନ–୨୦୦୬ ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରୟ ଉପରେ ପ୍ରତିବନ୍ଧ ଓ ନିୟନ୍ତ୍ରଣ) ବିଧି–୨୦୧୧ ର ଧାରା ୨.୩.୪ ଅନୁଯାୟୀ ଜାରି କରାଯାଇଛି। ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା; ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ Rabi Kanungo Passed Away: ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ରବି କାନୁନଗୋ