ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ (Odisha Adventure Tourism Guidelines-2025) କୁ ଚୁଡାନ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡିଶାରେ ପର୍ଯ୍ୟଟନ ପ୍ରକଳ୍ପ ଗୁଡିକର ବିକାଶ କରାଯିବ । ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ଲୋକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡିଶା କଥା ତାଙ୍କ ମନକୁ ଆସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ-୨୦୪୭ର ପରିକଳ୍ପନା ସହିତ ତାଳଦେଇ ଓଡିଶାର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଯୋଜନା କରାଯାଉଛି ଏବଂ ପର୍ଯ୍ୟଟନ ମଧ୍ୟ ଆମ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶାର ବିକାଶ ପାଇଁ ଯେଉଁ ବ୍ୟାପକ ଦୃଷ୍ଟିଭଙ୍ଗୀ ରଖାଯାଇଛି, ଏହି ନିର୍ଦ୍ଦେଶାବଳୀ ତାହାର ଏକ ଅଂଶବିଶେଷ । ଓଡିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଓ ରୋମାଞ୍ଚକ ସ୍ଥାନ ଗୁଡିକୁ ଦୁଃସାହସିକ ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବରେ ବିକଶିତ କରିବା ଏହାର ଲକ୍ଷ୍ୟ। ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଏହି ଦୁଃସାହସିକ ପର୍ଯ୍ୟଟନର ସମ୍ଭାବନା ଥିବା ସ୍ଥାନ ଗୁଡିକର ମ୍ୟାପିଙ୍ଗ୍ କରାଯାଇ ଏଗୁଡିକର ବିକାଶ କରାଯିବ। ସାତକୋଶିଆରେ ରାଫ୍ଟିଙ୍ଗ୍ ଓ ହିରାକୁଦ ଉପରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନର ବିକାଶ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ପର୍ଯ୍ୟଟନ ସୁବିଧାର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ପର୍ଯ୍ୟଟନ ଲୋକପ୍ରିୟ ହେବା ସହିତ ଏହା ରାଜ୍ୟର ଯୁବଶକ୍ତି ପାଇଁ ମଧ୍ୟ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଳ,ସ୍ଥଳ ଓ ଆକାଶ- ବିଭିନ୍ନ ଦୁଃସାହସିକ ପର୍ଯ୍ୟଟନ ପାଇଁ ଯୁବବର୍ଗଙ୍କୁ ତାଲିମ ଓ ପ୍ରମାଣପତ୍ର ଦିଆଯିବ। ଏହା ଦ୍ୱାରା ସେମାନଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇପାରିବ । ଏଥିପାଇଁ ଘରୋଇ କ୍ଷେତ୍ରର ଅଂଶଗହଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ । ‘Go Adventure’ ପୋର୍ଟାଲ ଜରିଆରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅନୁମୋଦନ ଦିଆଯିବ । ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଘରୋଇ ସଂସ୍ଥା ଗୁଡିକୁ ଓଡିଶା ପର୍ଯ୍ୟଟନ ନୀତି-୨୦୨୨ ଅଧିନରେ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରଖା ଯାଇଛି । ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ ଉପସ୍ଥିତ ଥିଲେ । Post navigation ପୋଲାଭରମ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ବିଜେଡି ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ