ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଓପିଡି ବର୍ଜନ କରୁଥିବାରୁ, ରାଜ୍ୟ ସରକାର ମଙ୍ଗଳବାର ଦିନ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ESMA) ଲାଗୁ କରି ଡାକ୍ତରୀ କର୍ମଚାରୀଙ୍କ ଧର୍ମଘଟକୁ ଛଅ ମାସ ପାଇଁ ନିଷେଧ କରିଛନ୍ତି । ୬ ମାସ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଗୃହ (ବିଶେଷ ବିଭାଗ) ବିଭାଗ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟକୁ ନିଷେଧ କରାଯାଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଉପଖଣ୍ଡ ଡାକ୍ତରଖାନା, କ୍ଷେତ୍ରୀୟ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୌର ଡାକ୍ତରଖାନା, ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର, ଜେଲ୍ ଏବଂ ପୋଲିସ ହସ୍ପିଟାଲଗୁଡ଼ିକ ଏହି ନିଷେଧ ଅନ୍ତର୍ଭୁକ୍ତ । ତେବେ ସରକାରଙ୍କ ଏସ୍ମା ଲାଗୁକୁ ଦମନ ନୀତି କହିଛନ୍ତି ଓଡ଼ିଶା ଡାକ୍ତରୀ ସେବା ସଂଘ ସଭାପତି କିଶୋର ମିଶ୍ର । ଏହା ଅସହିଷ୍ଣୁତାର ପରିଚୟ ବୋଲି ସେ କହିଛନ୍ତି । ପୂର୍ବରୁ, ୧୦ ଦଫା ଦାବି ନେଇ ସକାଳ ୯ଟାରୁ ୧୧ଟା ଯାଏଁ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଡାକ୍ତର । Post navigation VB G RAM G Bill: ବିକଶିତ ଭାରତ ଗଠନ ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ Banaka Lagi Ritual: ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି; ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ