ଆସନ୍ତାକାଲି ଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି । ତେଣୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସମୟ ମଧ୍ୟରେ ଅଙ୍ଗନବାଡି ପିଲା ମାନଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅପ୍ରେଲ ୨୩ ତାରିଖ ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ତେବେ, ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ନିର୍ଦ୍ଦିଷ୍ଟ ତାରିଖରେ ହେବ ଏବଂ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ହଷ୍ଟେଲ ପିଲାମାନେ ଚାହିଁଲେ, ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । Post navigation ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ କାଶ୍ମୀର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିନ୍ଦା