ଆସନ୍ତା କାଲି ଅର୍ଥାତ ଜୁଲାଇ ୨୫ ତାରିଖରେ ଆଗତ ହେବ ନୂଆ ରାଜ୍ୟ ସରକାରର ପ୍ରଥମ ବଜେଟ୍। ଏହା ପୂର୍ବରୁ ଆଜି ଉପସ୍ଥାପନ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା । ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା ଆକଳନ । ଯାହାକି ୨୦୨୨-୨୩ରେ ରାଜ୍ୟର ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ ଥିଲା । ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହେଇପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସେହିପରି ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରୁ ୧୯-୨୧ ମଧ୍ୟରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ସେହିପରି ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ୨୦୧୯-୨୦ରେ ବିତ୍ତୀୟ ନିଅଣ୍ଟ ୩.୫ପ୍ରତିଶତ ଥିବାବେଳେ ୨୩-୨୪ରେ ୩.୧ ପ୍ରତିଶତକୁ ହ୍ରାସ ପାଇଛି । ୨୦୨୨-୨୩ରେ ଧାନ ଉତ୍ପାଦନ ୧୪୧.୪ ଲକ୍ଷ ମେଟ୍ରିକ ଟନ୍‌କୁ ମଧ୍ୟ ବୃଦ୍ଧି ହୋଇଛି ।

ଅନ୍ୟପଟେ ମଧ୍ୟ ଆୟୁଷ ବୃଦ୍ଧି ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମିଳିଛି ତଥ୍ୟ । ଓଡ଼ିଶାରେ ଆୟୁଷ ହାର ପୂର୍ବ ତୁଳନାରେ ବଢ଼ିଛି ୧୦ ବର୍ଷ । ୨୦୦୦-୨୦୦୪ରେ ଓଡ଼ିଶାରେ ହାରାହାରି ଆୟୁଷ ୬୦.୪ ବର୍ଷ ଥିବା ବେଳେ ୨୦୧୬-୨୦୨୦ରେ ହାରାହାରି ଆୟୁଷ ବୃଦ୍ଧି ପାଇ ୭୦.୩ ବର୍ଷ ରହିଛି । ତେବେ ୧୭ ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ଉପରେ ରହିଛନ୍ତି ୭ ରାଜ୍ୟ ।

Leave a Reply

Your email address will not be published. Required fields are marked *