Odisha CM Reviews Twin City drainage systems
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ କଟକ-ଭୁବନେଶ୍ୱରରେ ବର୍ଷାଦିନେ ଉପୁଜୁଥିବା କୃତ୍ରିମ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ।
 
ବୈଠକରୁ ଜଣାପଡ଼ିଛି ଯେ, ଭୁବନେଶ୍ୱରର ପ୍ରାୟ ୮୦ ପ୍ରତିଶତ ଡ୍ରେନର ସଫେଇ କାର୍ଯ୍ୟ ସମାପ୍ତ ହୋଇଛି । ବାକି ରହିଥିବା ଡ୍ରେନ ଗୁଡ଼ିକର ସଫେଇ କାର୍ଯ୍ୟ ଜୁନ ୨୦ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ୱରରେ ଇସ୍କନ, କଟକ-ରୋଡ଼, ଅହଲ୍ୟା ନଗର, ସମ ହସ୍‍ପିଟାଲ ପାଖ ଆୟୁର୍ବେଦିକ କଲେଜ ଭଳି କେତେକ ପ୍ରମୁଖ ସ୍ଥାନରେ ବର୍ଷାଦିନେ ଜଳ ନିଷ୍କାସନର ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଏ ସବୁ ଜାଗା ଗୁଡ଼ିକରେ ସ୍ଥାୟୀ ସମାଧାନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଇସ୍କନ ନିକଟରେ ଜଳମଗ୍ନ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
 
ଭୁବନେଶ୍ୱରରେ ମୁଖ୍ୟତଃ ୧୫ଟି ପ୍ରାକୃତିକ ନାଳ ରହିଛି । ଏଥି ସହିତ ସହର ମଧ୍ୟରେ ଅନେକ ଛୋଟ ବଡ଼ ଡ୍ରେନ ରହିଛି । ଏସବୁର ଜଳ ପ୍ରାୟତଃ ଯାଇ ଗଙ୍ଗୁଆ ନଦୀରେ ମିଶୁଛି । ଏଥିରେ ହସ୍‍ପିଟାଲ ବର୍ଜ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଦୂଷଣଯୁକ୍ତ ସାମଗ୍ରୀ ମଧ୍ୟ ରହୁଛି । ଗଙ୍ଗୁଆ ନଦୀ ଦୟା ନଦୀ ସହିତ ମିଶିଛି । ତେଣୁ ବିଭିନ୍ନ ଜାଗାରେ ଜଳ ବିଶୋଧନାଗାର ସ୍ଥାପନ କରି ଗଙ୍ଗୁଆ ନଦୀର ପାଣିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ନାଳ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ବୈଠକରେ ଆଲୋଚନା ହୋଇଥିଲା ।
 
ସେହିପରି କଟକରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ମୁକାବିଲା ଓ ସମାଧାନ ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ କଟକ ମହାନଗର ନିଗମ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିପାଇଁ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
 
ବର୍ଷାଦିନକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ସହିତ ଜଳବାହିତ ରୋଗର ପ୍ରତିରୋଧ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦୁଇ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଥିଲେ ।
 
କେବଳ କଟକ-ଭୁବନେଶ୍ୱରରେ ନୁହେଁ, ଏଭଳି ସମସ୍ୟା ଉପୁଜୁଥିବା ରାଜ୍ୟର ଅନ୍ୟ ସହରାଞ୍ଚଳ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
 
ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ, ବିଡିଏ ଭି.ସି. ଡ. ଏନ୍. ତିରୁମାଳା ନାୟକ, କଟକ ମହାନଗର ନିଗମ ଆୟୁକ୍ତ ଅନାମ ଚରଣ ପାତ୍ର, NHAI ର Executive Director, EIC Works Department ଏବଂ ଅନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *