ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକର ଆଲୋଚନାରୁ ଜଣା ଯାଇଛି ଯେ ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୋଲିସ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି । ସଡକ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ୨୦୦୦ ନୂତନ ପଦବୀ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି ପଦବୀ ଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଜ୍ୟରେ ୨୦୨୪ ବର୍ଷରେ ୨୬୩୩ ଟି ସାଇବର ଅପରାଧ ମାମଲା ରୁଜ୍ଜୁ ହୋଇଛି । ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ ଟି ଥାନା କାର୍ଯ୍ୟରତ ଅଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ଆଉ ୨୦ ଟି ନୂତନ ସାଇବର ଥାନା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାଜ୍ୟରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଭୁବନେଶ୍ୱର ଓ କଟକର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସହରରେ ରାତ୍ରୀ କାଳୀନ ପେଟ୍ରୋଲିଂ ଓ ଚେକିଂ ବ୍ୟବସ୍ଥାକୁ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ମାଓ ପ୍ରବଣ ଜିଲ୍ଲା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ । ବାତ୍ୟା ଦାନାର ମୁକାବିଲା, ଡିଜି ଓ ଆଇଜି ସମ୍ମିଳନୀ, ପୁରୀଠାରେ ନୌସେନା ଦିବସ ଏବଂ ଭୁବନେଶ୍ୱର ଠାରେ 18 ତମ ପ୍ରବାସୀ ଭାରତୀୟ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସର ସଫଳ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପୋଲିସ ବିଭାଗରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ କରାଯାଇ ବିଭାଗକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । Post navigation ପୁଣି ଭାଇରାଲ ହେଲା ଗର୍ଭଗୃହ ଫଟୋ; ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ