ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୧୦ କୋଟି ଟଙ୍କା ବ୍ୟୟରେ କଟକ ମହାନଦୀ କୂଳର ୪୨୬ ଏକର ଅଞ୍ଚଳକୁ ଏହି ପ୍ରକଳ୍ପ ଜରିଆରେ ବିକଶିତ କରାଯିବ । ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ୨୮୪ ଏକର ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ ଅବଶିଷ୍ଟ ୧୪୨ ଏକର ଅଞ୍ଚଳକୁ ପର୍ଯ୍ୟଟନ ଉପଯୋଗୀ କରାଯିବା ସହିତ ବିଭିନ୍ନ ଯାନିଯାତ୍ରା (Festive Purpose) ପାଇଁ ମଧ୍ୟ ଉପଯୋଗୀ କରାଯିବ । ଏଥିରେ ଓଡ଼ିଶା ହାଟ, ହେରିଟେଜ ଭିଲେଜ, ପିକନିକ୍ ଏରିଆ, ଇଣ୍ଟରପ୍ରିଟେସନ ସେଣ୍ଟର, ଫୁଡ କୋର୍ଟ, ଲନ, ବଗିଚା, ମହାନଦୀ କୂଳ ସ୍ଥିତ ବିଭିନ୍ନ ୱାଟରବଡିର ସୌନ୍ଦର୍ଯ୍ୟକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ରହିଛି । ଏସବୁ ନିର୍ମାଣ କାର୍ଯ୍ୟରେ ଗ୍ରୀନ ଟ୍ରିବ୍ୟୁନାଲ ଗାଇଡଲାଇନ ପାଳନ କରାଯିବ । ଏହି ପ୍ରକଳ୍ପକୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଜାତୀୟ ସ୍ତରର ଆକର୍ଷଣୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ଗୁଜରାଟର ସାବରମତୀ ଡିଜାଇନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସମସ୍ତ ପ୍ରାରମ୍ଭିକ ପ୍ରକ୍ରିୟା ଯଥାଶୀଘ୍ର ଶେଷ କରି ପ୍ରଥମ ପର୍ଯ୍ୟାୟ କାମ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହାନଦୀ କୂଳ ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ଯେଉଁ ନିର୍ମାଣ କାର୍ଯ୍ୟ ହେଉଛି, ସେହି ପ୍ରକଳ୍ପ ଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଏହି ପ୍ରକଳ୍ପ ଗୁଡିକ ନଦୀତଟକୁ ସୁରକ୍ଷା ଦେବା ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାମ ବେଳେ ଧବଳେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ National Law University ନିକଟସ୍ଥ ପଠାକୁ ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଆକର୍ଷଣୀୟ କରିବା ପାଇଁ ମହାନଦୀ ମଧ୍ୟରେ କ୍ରୁଜ ଚଳାଚଳ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମତ ଦେଇଥଲେ । ଏ ସବୁ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆବଶ୍ୟକ ହେଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । Post navigation Rajya Sabha Cross Voting Row: କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ BJD Suspends BCJD, BYJD Leaders: ୧୦ ଛାତ୍ର ଓ ଯୁବ ନେତା ବିଜେଡିରୁ ନିଲମ୍ବିତ