ସୁରକ୍ଷିତ… ଘରକୁ ଫେରନ୍ତୁ । “Come Home Safe” । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି ।

ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ପ୍ରତି ଜିଲ୍ଲାରେ ଏଭଳି ସଚେତନତା ରଥ ମାସ ବ୍ୟାପୀ ପରିକ୍ରମା କରିବ । ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଯାନ ଚାଳକ, ଏନସିସି କ୍ୟାଡେଟ୍ ଓ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ଶପଥ ପାଠ କରାଇଥିଲେ । କିଭଳି ସମସ୍ତ ନିୟମ ମାନି ସୁରକ୍ଷିତ ଯାତ୍ରା କରିବା ଏବଂ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବାନ ହେବା ସେ ସମ୍ପର୍କରେ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

Odisha CM inaugurates National Road Safety Month

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଗତ 10 ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ 47 ହଜାରରୁ ଅଧିକ ଜୀବନ ଯାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ । ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ ।

ଏହି ଅବସରରେ ସଡକ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ୨୦୦୦ ନୂତନ ଟ୍ରାଫିକ୍ ପୋଲିସ୍ ପଦବୀ ସୃଷ୍ଟି କରାଯିବା ସହିତ ଚଳିତ ବର୍ଷ ୫୦୦ ଟ୍ରାଫିକ୍ ପୋଲିସ୍ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏଥି ସହିତ ଜନସାଧାରଣଙ୍କୁ ସୁଲଭ ଓ ସୁବିଧା ଜନକ ଯାତ୍ରା ପ୍ରଦାନ ଉଦ୍ଦେଶ୍ୟରେ ‘ଓଡିଶା ଯାତ୍ରୀ ଆପ୍’ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏହି ଆପ୍ ମାଧ୍ୟମରେ ଜନସାଧାରଣ ଗୋଟିଏ କ୍ଲିକରେ ନିଜର ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇପାରିବେ ।

ପଦଯାତ୍ରା ସମୟରେ ଗୁରୁଦ୍ୱାର ନିକଟରେ ଏକ ନିଃଶୁଳ୍କ ଅସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀରାମ ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ, ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା କରୁଥିବା ଗୁଡ୍ ସମରିଟାନ୍ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *