ଆଜି ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟଯେ, ଆଜି ସ୍ୱାସ୍ଥ୍ୟ ବିଭାଗର ଆୟୁଷ ନିର୍ଦ୍ଦେଶାଳୟରେ ୪୪୨ ଜଣ ଆୟୁଷ ଆସିଷ୍ଟାଣ୍ଟ, କୃଷି ବିଭାଗରେ ୬୫ ଜଣ ମୃତ୍ତିକା ସଂପ୍ରସାରଣ କର୍ମଚାରୀ ଏବଂ ୩୩ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଶକ୍ତି ବିଭାଗରେ ୪୮ ଜଣ ମ୍ୟାନେଜମେଣ୍ଟ ଟ୍ରେନି, ଜଳ ସମ୍ପଦ ବିଭାଗରେ ୧୨ଜଣ କନିଷ୍ଠ ସହାୟକ ଓ ୧୪ ଜଣ ଅମିନ ଏବଂ ଇସ୍ପାତ ଓ ଖଣି ବିଭାଗରେ ୧୮୯ ଜଣ କନିଷ୍ଠ ଖଣି ଅଧିକାରୀ ଓ ୯ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଗଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ବିକାଶ ଧାରାକୁ କ୍ରିୟାଶୀଳ କରିବା ଦିଗରେ ଦକ୍ଷ ଓ ଉତ୍ତମ ମାନବ ସମ୍ବଳ ଅପରିହାର୍ଯ୍ୟ । ଦକ୍ଷ ମାନବ ସମ୍ବଳ ମାଧ୍ୟମରେ ସରକାରୀ ବ୍ୟବସ୍ଥା ସକ୍ରିୟ ଓ ସଜାଗ ରହେ ଏବଂ ଜନସାଧାରଣଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦିଆଯାଏ । ଏହି ମୌଳିକ ସତ୍ୟକୁ ଉପଲବ୍ଧି କରି ଆମ ସରକାର ଦାୟିତ୍ଵ ନେବା ପରେ ପରେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ଉପଯୁକ୍ତ ମାନବ ସମ୍ବଳ ନିଯୁକ୍ତି ଆରମ୍ଭ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ଆମ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଣୁ ଆପଣମାନଙ୍କ ପରି ଯୁବ ଏବଂ ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ଵାରା ହିଁ ଲୋକମାନେ ଏହି ପଦକ୍ଷେପ ଗୁଡିକର ସୁଫଳ ପାଇବାକୁ ସକ୍ଷମ ହେବେ। ମୁଖ୍ୟମନ୍ତ୍ରୀ କହିଥିଲେଯେ, ରାଜ୍ୟ ସରକାର ନୂତନ ଭାବେ ଦାୟିତ୍ୱ ନେଲା ପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ଯେଉଁଥିରେ ସବୁ ଚୟନ ସଂସ୍ଥାର ମୁଖ୍ୟ, ଉଚ୍ଚ ପଦସ୍ଥ ଅଧିକାରୀ ଅଂଶଗ୍ରହଣ କରିଥିଲେ । ଚଳିତ, ମାର୍ଚ୍ଚ ମାସ ଶେଷ ସୁଦ୍ଧା, ସମସ୍ତଙ୍କୁ ନିଜ ନିଜ ବିଭାଗରେ ଖାଲିଥିବା ଖାଲି ପଦାକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦିଗରେ କାର୍ଯ୍ୟ ଜାରି ରହିଛି ଏବଂ ପ୍ରଥମ ଦୁଇ ବର୍ଷରେ ଆମେ ୬୫ ହଜାର ନିଯୁକ୍ତି ଦେବାକୁ ପ୍ରତିଶ୍ରୁତିବଦ୍ଧ । କେବଳ ସରକାରୀ କ୍ଷେତ୍ରରେ ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି । ଏହାର ଫଳ ସ୍ୱରୂପ ଗତ ୯ ମାସ ମଧ୍ୟରେ ରାଜ୍ୟ ସରକାର ୭ ଥର ନିଯୁକ୍ତି ମେଳାର ଆୟୋଜନ କରି ବିଭିନ୍ନ ବିଭାଗରେ ୨୪ ହଜାରରୁ ଅଧିକ ନିଯୁକ୍ତି ପ୍ରଦାନ କରିଛନ୍ତି । ଆଜି ଅଷ୍ଟମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ମେଳାରେ ୫ଟି ବିଭାଗର ୮୧୨ ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ଏହା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୮ଟି ନିଯୁକ୍ତି ମେଳା ଜରିଆରେ ୨୫ ହଜାରରୁ ଅଧିକ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିଯୁକ୍ତିପତ୍ର ପାଇଥିବା ସମସ୍ତ ବିଭାଗର ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ରାଜ୍ୟସରକାରଙ୍କ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ଆଭିମୁଖ୍ୟ ସମ୍ପର୍କ ବିଷୟରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇସ୍ପାତ ଓ ଖଣି ବିଭାଗ, ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ, କମିଶନର ତଥା ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଆଶ୍ଵଥି ଏସ ଧନ୍ୟବାଦ ଦେଇଥିଲେ । Post navigation ପୁଣି ଖୋଲିଲା ନବ ଦାସ ଫାଇଲ; ଆରମ୍ଭ ହୋଇଛି ସାନି ତଦନ୍ତ: ପୃଥ୍ବୀରାଜ ହରିଚନ୍ଦନ ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ କହିଛନ୍ତି ଦୀପାଳି