Odisha CM attends Kalahandi Ghumura Mahotsav 2026
କଳାହାଣ୍ଡି ଓଡ଼ିଶାର ସବୁଠାରୁ ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ । କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗ ଦେଇ କହିଛନ୍ତି ।
 
ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି ।
 
ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅର୍ଥାତ୍‌ ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଗଲା । ଏହିସବୁ ପ୍ରକଳ୍ପ ଗୁଡ଼ିକ କଳାହାଣ୍ଡିର ବିକାଶକୁ ଆହୁରି ଗତି ଦେବ ବୋଲି ସେ କହିଥିଲେ ।
 
ଏହି ଅବସରରେ ଜିଲ୍ଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଥିଲେ ।  ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ କପା ଉତ୍ପାଦନ କ୍ଲଷ୍ଟର୍‌ ଭାବେ ପରିଣତ କରାଯିବ ବୋଲି ସେ ଘୋଷଣା କରିଥିଲେ । ଜିଲ୍ଲାର ବେଲ୍‌ଗାମ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବା ସହିତ   ସାଣ୍ଡୁଲ ବ୍ୟାରେଜ୍‌ କାମ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ ।
 
କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ୱର ସ୍ଥାନରେ ସ୍ଥାନୀତ କରିବା ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଭବାନୀପାଟଣା ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ  କହିଥିଲେ ।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର । ସମସ୍ତଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟ ସରକାର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଧାନରେ ୮୦୦ ଟଙ୍କା ଇନପୁଟ୍‌ ସହାୟତା, ପିଏମ କିଷାନ ଓ ସିଏମ କିଷାନରେ ୧୦ ହଜାର ଟଙ୍କା, ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ସହାୟତା ମିଶାଇଲେ ଗୋଟିଏ କୃଷକ ପରିବାର ବର୍ଷକୁ ପ୍ରାୟ ୭୧ ହଜାର ଟଙ୍କା ଅଧିକ ରୋଜଗାର କରୁଛି । ତେଣୁ କୃଷକର ଆତ୍ମବିଶ୍ୱାସ ବୃଦ୍ଧି ହୋଇଛି । ଚାଷୀ ଏବେ ପୁଣି ବିଲକୁ ଫେରିଛି । ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଗତବର୍ଷ କଳାହାଣ୍ଡି ଜିଲ୍ଲାରେ ୧,୧୨,୦୦୦ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ୧,୨୧,୦୦୦ ଚାଷୀ ପଞ୍ଜୀକରଣ କରିଛନ୍ତି ।
 
ଧାନ ସଂଗ୍ରହ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସରକାର ସବୁବେଳେ ତତ୍ପର ଅଛନ୍ତି । କେନ୍ଦ୍ର ସରକାର ମଧ୍ୟ ୮ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ ଉଠେଇବା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟ ସରକାର ଛୋଟ ବଡ଼ ସମସ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ବ୍ୟବସ୍ଥା କରୁଛନ୍ତି । ସମସ୍ତଙ୍କ ସହଯୋଗରେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
 
ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଦାୟିତ୍ୱ ନେବା ପରଠାରୁ ରାଜ୍ୟର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଛି । ଆମର ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ, ସବୁ ଅଞ୍ଚଳ ପାଇଁ ଉତ୍ତମ ରାସ୍ତା, ପ୍ରତି ପରିବାରକୁ ସ୍ୱଚ୍ଛ ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମଜବୁତ ଭିତ୍ତିଭୂମି ଏବଂ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ କିଭଳି ପହଞ୍ଚିବ, ତାହା ହେଉଛି ଆମ ସରକାରର ପ୍ରାଥମିକତା ।
 
ସେ ପୁଣି କହିଥିଲେ ଆମ ସରକାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ତ୍ର ବିକାଶ ଭି, ବିରାଶତ ଭି, କୁ ଆଧାର କରି ରାଜ୍ୟର ବିକାଶ ସହିତ ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ଆଗେଇ ନେବାପାଇଁ ଉଦ୍ୟମ ଅବ୍ୟାହତ ରଖିଛି । ଆମ ସରକାର ପାଇଁ ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲା ହେଉଛି ସମାନ । ଆମେ ରାଜ୍ୟର ସନ୍ତୁଳିତ ବିକାଶ ଉପରେ ଗୁରୁତ୍ୱ ଦେଇ କାମ କରୁଛୁ । ଆଗାମୀ ଦିନରେ ରାଜ୍ୟରେ ଶିଳ୍ପାୟନ ହେବ, କେବଳ ଉପକୂଳବର୍ତ୍ତୀ ଜିଲ୍ଲାରେ ନୂହେଁ ସବୁ ଜିଲ୍ଲାରେ ହେବ । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆହୁରି ଅଧିକ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୁମୁରା ୨୦୨୬ର ସ୍ୱତନ୍ତ୍ର ସ୍ମରଣିକା ‘କଳାଝରଣ’ ଉନ୍ମୋଚନ କରିଥିଲେ ।
 
କାର୍ଯ୍ୟକ୍ରମରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ କହିଥିଲେ ଯେ, କଳାହାଣ୍ଡି ହେଉଛି ଐତିହ୍ୟ, କଳା, ସଂସ୍କୃତିର ମାଟି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କଳାହାଣ୍ଡି ଆଜି ବିକାଶ ପଥରେ ଆଗଉଛି । ୨୦୩୬ ସୁଦ୍ଧା କଳାହାଣ୍ଡି ଯେପରି ରାଜ୍ୟର ଶ୍ରେଷ୍ଠ ଜିଲ୍ଲାରେ ପରିଣତ ହେବ, ସେଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
 
କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ବାରମ୍ୱାର ଯାଇ ଲୋକଙ୍କ ସହିତ ମିଶୁଛନ୍ତି, ଯାହା ଭାରତବର୍ଷରେ ବିରଳ । ଖୁସିର କଥା, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ବିକାଶ ପାଇଁ ସକରାତ୍ମକ ଅଛନ୍ତି । ତେଣୁ କଳାହାଣ୍ଡିକୁ ଏକ ନମ୍ୱର ସ୍ଥାନରେ ରଖିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
 
ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ନିମନ୍ତ୍ରଣ ରକ୍ଷା କରି କଳାହାଣ୍ଡି ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କଳାହାଣ୍ଡିର ସମୃଦ୍ଧ ସଂସ୍କୃତି ବିଷୟରେ ବର୍ଣ୍ଣନା କରିଥିଲେ ।
 
ଅନ୍ୟମାନଙ୍କ ମଧ୍ୟରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟଯୋଶୀ, ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
 
କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *