ଆଜି କେନ୍ଦୁଝର ଜିଲ୍ଲା, ସିଲିସୁଆଁ ଠାରେ ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ହୋଇଥିଲ। । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମାରୋହରେ ସେ କହିଥିଲେ, ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସୃଷ୍ଟି – ଅଲଚିକି ଲିପିର ପ୍ରସାର ଆମକୁ ଆମ ବର୍ତ୍ତମାନ ସହ ପରିଚୟ କରାଉଛି ଆଉ ଭବିଷ୍ୟତ ପାଇଁ ବିଚାର କରିବାକୁ ପ୍ରେରଣା ଦେଉଛି । ଅଲଚିକି ଲିପି ଏବଂ ଗୁରୁ ଗୋମକେ ହେଉଛନ୍ତି ପରସ୍ପର ପରିପୁରକ । ପଣ୍ଡିତ ମୁର୍ମୁ “ସ୍ରଷ୍ଟା” ହେଲେ, ଅଲଚିକି ଲିପି ହେଉଛି “ସୃଷ୍ଟି” । ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ । ତାଙ୍କ ଦ୍ୱାରା ରଚିତ ଗଦ୍ୟ ଓ ପଦ୍ୟ ସାହିତ୍ୟ, ନାଟକ, ପାଠ୍ୟପୁସ୍ତକ ଓ ଲୋକସାହିତ୍ୟ ଆଜି ବି ଆମକୁ ସଂସ୍କୃତିର ମୂଳସୂତ୍ର ସହିତ ବାନ୍ଧି ରଖିଛି । ସେ ତାଙ୍କ ଶିକ୍ଷା ଓ ଚେତନା ଦ୍ୱାରା ସମାଜରେ ଶୋଷଣ ବିରୋଧରେ ଏକ ଶକ୍ତିଶାଳୀ ଜାଗରଣ ସୃଷ୍ଟି କରିଥିଲେ ବୋଲି ସେ କହିଥିଲେ । ସେ ସାନ୍ତାଳୀ ଅସ୍ମିତାର ପ୍ରତୀକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଅନୁଷ୍ଠାନ ଓ ସଂସ୍କୃତିର ଅଭିଜ୍ଞାନ । ସେ ଜଣେ ଏମିତି ଯୁଗପୁରୁଷ ଥିଲେ, ଯିଏ ଅନ୍ଧାର ଭିତରେ ଆଲୋକର ଜାଗରଣ କରିଥିଲେ। ଏକ ଅବହେଳିତ ଓ ଅନ୍ତର୍ଭୁକ୍ତ ହୋଇନଥିବା ସମାଜକୁ ଶିକ୍ଷା, ଅସ୍ମିତା ଓ ଗର୍ବର ଅନୁଭୂତି ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସାନ୍ତାଳୀ ଭାଷାକୁ ସମୃଦ୍ଧ କରିବା ପାଇଁ ପଣ୍ଡିତ ମୁର୍ମୁ ଅଲଚିକି ଲିପିରେ ଅନେକ ଗୀତ, ନାଟକ ଓ ପାଠ୍ୟପୁସ୍ତକ ରଚନା କରିଥିଲେ । ଅଲଚିକିର ପ୍ରସାର ପାଇଁ ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳ ବୁଲି ଲିପିର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ସାନ୍ତାଳୀ ସାହିତ୍ୟର ପ୍ରଚାର ପାଇଁ ସେ ‘ସାଗେନ୍ ସାକାମ୍’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ । ତାଙ୍କ ପ୍ରେରଣାରେ ବାବା ତିଲକା ମାଝୀ ପାଠାଗାର ମଧ୍ୟ ପ୍ରତିଷ୍ଠା ହୋଇଥିଲା । ସାନ୍ତାଳୀ ସମାଜର ସାମାଜିକ, ଶିକ୍ଷାଗତ ଓ ସାଂସ୍କୃତିକ ଉନ୍ନତି ପାଇଁ ସେ ଏକ ଆଦିବାସୀ ସୋସିଓ-ଏଜୁକେସନାଲ୍ ଆଣ୍ଡ କଲ୍ଚରାଲ୍ ଆସୋସିଏସନ୍ ଗଠନ କରିଥିଲେ । ପଣ୍ଡିତ ମୁମୁର୍ଙ୍କ ଯୋଗୁଁ କେବଳ ସାନ୍ତାଳୀ ସମାଜକୁ ନୂଆ ପରିଚୟ ମିଳିନଥିଲା, ଏଥି ସହିତ ଅନ୍ୟାନ୍ୟ ଆଦିବାସୀ ସମାଜକୁ ମଧ୍ୟ ସେ ନିଜସ୍ବ ଲିପି ବିକଶିତ କରିବାର ପଥ ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ କହିଥିଲେ, ୨୦୦୩ରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସଂବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ । ଆଜି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରର ଆଦିବାସୀବହୁଳ ଅଞ୍ଚଳରେ ସାନ୍ତାଳୀ ଭାଷାରେ ସ୍କୁଲ୍ ଶିକ୍ଷା ଦିଆଯାଉଛି । ଅନେକ କଲେଜ ଓ ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ଭାଷା ସାହିତ୍ୟ ପଢ଼ାଯାଉଛି। କେବଳ ସାନ୍ତାଳୀ ଭାଷା କାହିଁକି, ରାଜ୍ୟ ସରକାର, ହୋ, ମୁଣ୍ଡାରୀ, ଗାଦବା , କୁଇ, ଓରାଓଁ ଭଳି ଅନେକ ଆଦିବାସୀ ଭାଷାର ପ୍ରସାର ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । Post navigation NIT Rourkela: ଏନଆଇଟି ରାଉରକେଲାରେ ୨୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ Bhakta Das Targets CEC: ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭକ୍ତ ଦାସଙ୍କ ଟାର୍ଗେଟ