ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ଭୁବନେଶ୍ବର ଏମ୍ସର ICUରେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଏମ୍ସର ଜରୁରୀକାଳୀନ ୱାର୍ଡର ICUରେ ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ କୌଣସି ବି ଉନ୍ନତି ଆସିନି।

ହ୍ୟୁମାନ୍ ଲିଭର୍ ଓ କିଡ଼ନିରେ ସମସ୍ୟା ସୃଷ୍ଟି ହୋଇଛି । ଏହା ସହିତ ଶରୀର ଅନେକ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଛି । ଶ୍ୱାସକ୍ରିୟା ଅସୁବିଧା ସମ୍ମୁଖୀନ ହେବା ସହିତ ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ଭଳି ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଗତକାଲି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ଆଇସିୟୁରେ ଭେଣ୍ଟିଲେଟରେ ଅଛନ୍ତି ।

ପୁଅକୁ ବଞ୍ଚାଇ ଦେବାକୁ ଓଡ଼ିଶା ବାସୀ ଏବଂ ସରକାରଙ୍କୁ କୋହଭରା କଣ୍ଠରେ ଗୁହାରୀ କରିଛନ୍ତି ଗାୟକ ହ୍ୟୁମାନ ସାଗରଙ୍କ ମା । ସେ କହିଛନ୍ତି ଯେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଶରୀର ବିଭିନ୍ନ ଅଙ୍ଗ ଅଚଳ ହୋଇଯାଇଛି । ପୁଅକୁ ସେ ବଞ୍ଚାଇବାକୁ ଚାହୁଁଛନ୍ତି । ବାହାରକୁ ନେଇ ଚିକିତ୍ସା କରିବାକୁ ଚାହୁଁଛନ୍ତି । ତେଣୁ ପୁଅକୁ ବଞ୍ଚାଇ ଦେବାକୁ ସେ ଓଡ଼ିଶାବାସୀଙ୍କ ସହିତ ରାଜ୍ୟ ସରକାରଙ୍କୁ ଗୁହାରୀ କରିଥିଲେ ।

ଏହା ପରେ ଆଜି ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏମ୍‌ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି । ହ୍ୟୁମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ ଜାରି ରଖିବାକୁ କହିବା ସହ ଆବଶ୍ୟକ ହେଲେ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତରିତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ; ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବାରୁ ତାଙ୍କୁ କଟକରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥି ପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହ୍ୟୁମାନ ସାଗରଙ୍କୁ ଏମ୍ସକୁ ଅଣାଯାଇ ଚିକିତ୍ସା କରାଯାଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *