କୋମନାରେ କୋରାପୁଟ ବିଧାୟକଙ୍କ ପିଏସଓ ଦ୍ୱାରା ବ୍ଲାଙ୍କ ଫାୟାର କରିବା ଘଟଣା ସମ୍ପର୍କରେ ଆଜି କୋମନା ଥାନାରେ କଂଗ୍ରେସ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତକାଲି କୋମନା ସହର ମଧ୍ୟରେ ହୋଟେଲ ସମ୍ପର୍କ ସମ୍ମୁଖରେ ଘଟିଯାଇଥିବା ଅପରାଧିକ ଘଟଣା ଉପରେ ପୋଲିସ ଙ୍କୁ ଅବଗତ କରାଇ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ଜଣାଇଛି କଂଗ୍ରେସ । କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ସୂଚନା ଅନୁଯାୟୀ, ଗତକାଲି କୋରାପୁଟ ବିଧାୟକ ରଘୁରାମ ମାଛ ଙ୍କ ପିଏସଓ କୋମନାର ହୋଟେଲ ସମ୍ପର୍କ ରେ ବ୍ଲାଙ୍କ ଫାୟାର କରିଥିଲେ । ବର୍ତ୍ତମାନ ନୁଆପଡ଼ାରେ ଉପ ନିର୍ବାଚନର ପ୍ରକ୍ରିୟା ଚାଲୁଥିବା ବେଳେ ଶାସକ ଦଳର ଜଣେ ଲୋକପ୍ରତିନିଧିଙ୍କ ସୁରକ୍ଷା ଅଧିକାରୀ ବିଚ୍ ରାସ୍ତାରେ ଆଗ୍ନେୟାସ୍ତ୍ର ବ୍ୟବହାର କରି ଲୋକଙ୍କୁ ଆତଙ୍କିତ କରି ନିର୍ବାଚନ ଫଳକୁ ଶାସକଦଳ ପକ୍ଷରେ କରିବା ପାଇଁ ଏପରି ଅପରାଧିକ ପଦକ୍ଷେପ ନେବା ଆଇନତଃ ଅପରାଧ ଅଟେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସମ୍ବିଧାନ ଓ ଜନତାର ସୁରକ୍ଷାର ଶପଥ ନେଇ କର୍ତ୍ତବ୍ୟରେ ଯୋଗଦାନ କରିଥିବା ଜଣେ ଅଧିକାରୀ ରକ୍ଷକ ପଦରେ ଭକ୍ଷକ ସଦୃଶ କାର୍ଯ୍ୟ କରିଛନ୍ତି । ଏହା କୋରାପୁଟ ବିଧାୟକଙ୍କ ପ୍ରତ୍ୟକ୍ଷ ସମର୍ଥନ ବିନା ଆଦୌ ସମ୍ଭବ ନୁହେଁ । ବିଧାୟକଙ୍କ ଏପରି ପଦକ୍ଷେପ ପ୍ରମାଣିତ କରି ଦେଉଛି ଯେ ସେ ଗଣତାନ୍ତ୍ରିକ ପଦ୍ଧତିରେ ଆଦୌ ବିଶ୍ୱାସ ରଖନ୍ତି ନାହିଁ ଏବଂ ନିଜ ଦଳକୁ ଜିତାଇବା ପାଇଁ ସେ ଆତଙ୍କର ମଧ୍ୟ ସାହାଯ୍ୟ ନେଇ ପାରନ୍ତି । ଏହା ନୁଆପଡ଼ାର ଶାନ୍ତ ଓ ସୌହାର୍ଦ୍ଦମୂଳକ ପରିବେଶ ପାଇଁ କ୍ଷତିକାରକ ଅଟେ । ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ଏହା ସମସ୍ତ ଭୋଟର ଏପରିକି ଜିଲ୍ଲାର ଆବାଳବୃଦ୍ଧବନିତାଙ୍କ ଉପରେ କୁପ୍ରଭାବ ପକାଇବ ବୋଲି କଂଗ୍ରେସ କହିଛି । ବିଧାୟକଙ୍କ ବିଧାୟକ ପଦ ସରକାର ତୁରନ୍ତ ରଦ୍ଦ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତତ୍କକ୍ଷଣାତ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଓ ତାଙ୍କ ପିଏସଓକୁ ତୁରନ୍ତ ଗିରଫ କରାଯାଇ ଜିଲ୍ଲାରୁ ବାହାର କରିବା ପାଇଁ ନୁଆପଡ଼ା ପୋଲିସ ପଦକ୍ଷେପ ନେଉ । ସମ୍ପୃକ୍ତ ପିଏସଓକୁ ଗିରଫ କରାଯାଇ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦାବୀଗୁଡ଼ିକ ଆସନ୍ତାକାଲି ସୁଦ୍ଧା ପୁରଣ ନ ହେଲେ କଂଗ୍ରେସ ଦଳ କୋମନା ଥାନା ସମ୍ମୁଖରେ ଧାରଣା ଦେବାକୁ ଓ ଥାନା ଘେରାଓ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ କହିଛି । Post navigation Andhra Pradesh Stampede: ଆନ୍ଧ୍ରରେ ଦଳାଚକଟା, ୯ ମୃତ Rohan Bopanna Retires: ଅବସର ଘୋଷଣା କଲେ ଟେନିସ ତାରକା ରୋହନ ବୋପାନ୍ନା