ବଲାଙ୍ଗିର ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାବେଳେ ଏଠି କଳ କାରଖାନାର ଅଭାବ ଯୋଗୁଁ, ଏଠାକାର ଅଧିକାଂଶ ଶ୍ରମିକ ଶ୍ରେଣୀର ରାଜ୍ୟ ବାହାରକୁ ଦାଦନମୁହାଁ ହୋଇ ଆସୁଛନ୍ତି।

ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ସରିଥିବାବେଳେ, ଗାଁ ଗଣ୍ଡାର ଶ୍ରମିକମାନଙ୍କ ଘରକୁ ଘର ଯାଇ ଦାଦନ ଶ୍ରମିକ ସର୍ଦ୍ଦାରମାନେ ଟଙ୍କା ପ୍ରଲୋଭନ ଦେଖାଇ ବଇନା ଦେଇ ନିଜ ଅଧିନସ୍ଥ କରିଛନ୍ତି ଶ୍ରମିକମାନଙ୍କୁ। ସୂଚନାଯୋଗ୍ୟ ଯେ ଯେଉଁମାନେ ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ବଇନା ଟଙ୍କାର ପ୍ରଲୋଭନରେ ଆସି, ରାଜ୍ୟ ବାହାର ହେଉ କିମ୍ବା କୌଣସି ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଦାଦନ ଶ୍ରମିକ ବୋଲି କୁହାଯାଏ।

ଚଳିତ ବର୍ଷ ନୂଆଁଖାଇ ପର୍ବ ପାଇଁ ଶ୍ରମିକମାନେ ଭିଟାମାଟିର ମୁଖ୍ୟ ପର୍ବ ବୋଲି ଦାଦନ ସର୍ଦ୍ଦାରଙ୍କଠାରୁ ବଇନା ନେଇ ଧୁମ୍‌ଧାମରେ ପାଳନ କରିଛନ୍ତି । ଦାଦନ ଶ୍ରମିକମାନଙ୍କ ବଇନା ଟଙ୍କାରୁ ସ୍ଥାନୀୟ ବ୍ୟବସାୟୀମାନେ ବହୁ ଖୁସି ଅନୁଭବ କରୁଛନ୍ତି । ଦାମିକା ସୁନ୍ଦର ସୁନ୍ଦର ନୂଆ ଲୁଗାପଟା କିଣି, ଆରିସା ପିଠାପଣା କରି ଆନନ୍ଦ ଉଲ୍ଲାସର ସହ ପର୍ବକୁ ପାଳନ କରି ସାରିଛନ୍ତି । ଏହି ନୂଆଁଖାଇ ପର୍ବ ପାଳନ ପାଇଁ ଲୋକେ ଏତେ ଉତ୍ସାହିତ ଯେ ଜଣେ ଗରିବ ପରିବାରକୁ ଦାଦନ ଶ୍ରମିକ ହେବାକୁ ମଜବୁର୍ କରିଦିଏ । କିପରି ଭଲ ଭାବରେ ଏହି ପର୍ବ ପାଳନ କରିବୁ ସେ ନେଇ ଚିନ୍ତାରେ ଆସି, ଦାଦନ ସର୍ଦ୍ଦାରଙ୍କ ବଇନା ଟଙ୍କାର ପ୍ରଲୋଭନରେ ଲୋକେ ପ୍ରଲୋଭିତ ହୋଇ ଦାଦନ ଶ୍ରମିକ ପାଲଟୁଛନ୍ତି । ସର୍ଦ୍ଦାରଠୁ ବଇନା ନେଇ ନୂତନ ବସ୍ତ୍ର ସହ ପଟ ଗଡ଼ ମାରି ଧୁମ୍‌ଧାମରେ ପାଳନ କରାଯାଇଛି।

ଏହି ନୂଆଁଖାଇ ତିହାରକୁ ମୁଖ୍ୟତଃ ଚାଷୀଙ୍କ ପର୍ବ ବୋଲି ଜଣାଶୁଣା ରହିଥିବାବେଳେ, ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ ଏହି ନୂଆଁଖାଇ ପର୍ବ । ଏହି ନୂଆଁଖାଇ ଦିନ ଚାଷୀ ତାଙ୍କର ବିଲର ପ୍ରଥମ ଫସଲକୁ ଉତ୍ସର୍ଗ କରି, ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରି ଘରକୁ ପାଛୋଟି ଆଣି, ବିଲର ପ୍ରଥମ ଅମଳକୁ ଖାଇବାକୁ ରୋଷେଇ କରି ବା ନୂତନ ଧାନର ଚୁଡ଼ାକୁ ଗୁଡ଼ରେ ପାଗ କରି ପ୍ରଥମ ପ୍ରସାଦ ଭଳି ଖାଇବାକୁ ନୂଆଁଖାଇ ପର୍ବ ବୋଲି କୁହାଯାଏ।

କଣ୍ଟାବାଞ୍ଜିରେ ଏହି ନୂଆଁଖଇ ଉପଲକ୍ଷେ ଦାଦନ ଶ୍ରମିକ ସର୍ଦ୍ଦାରମାନେ ଶ୍ରମିକମାନଙ୍କୁ ବଇନା ଟଙ୍କାରେ ପ୍ରଲୋଭନ ଦେଖାଇ ଘରକୁ ଘର ଯାଇ ବଇନା ଦେଇଛନ୍ତି। ଚଳିତ ବର୍ଷ ବହୁଳ ଭାବରେ ଦାଦନ ଖଟିବାକୁ ଶ୍ରମିକ ଯିବେ ବୋଲି ପୂର୍ବାନୁମାନ ମଧ୍ଯ ହୋଇ ସାରିଛି । ସେପଟେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଦାଦନ ଶ୍ରମିକମାନଙ୍କୁ ଉତ୍ସାହିତ କରିଛନ୍ତି । ଦାଦନ ଖଟିବାରେ ମଜା ଅଛି ବୋଲି ସେ କହିଥିବାବେଳେ, ଦାଦନ ସର୍ଦ୍ଦାରମାନେ ବେଧଡ଼କ ୨୦ ବର୍ଷର ରେକର୍ଡ଼ ଭାଙ୍ଗି ସର୍ବାଧିକ ବଇନା ଟଙ୍କା ବାଣ୍ଟିଛନ୍ତି ।

ଅନ୍ୟ ପକ୍ଷରେ ଛୋଟ ଛୋଟ ଦାଦନ ଶ୍ରମିକ ସର୍ଦ୍ଦାରମାନେ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ସିନ୍ଧେକେଲା, ବେଲପଡା଼, କଣ୍ଟାବାଞ୍ଜି, ଲାଠୋର, ଖପ୍ରାଖୋଲ, ପାଟଣାଗଡ଼, ଟିଟିଲାଗଡ଼, ସଇଁତଳା, ଟିକରାପଡ଼ା, ତରଭା ଭଲି ପ୍ରମୁଖ ଥାନାମାନଙ୍କର ତରା ତରା ଚକର କାଟିବାରେ ଲାଗିଛନ୍ତି । ସେପଟେ ଜିଲ୍ଲା ଶ୍ରମବିଭାଗରେ ଦାଦନ ବଇନା ଟଙ୍କାର କୌଣସି ଖବର ନଥିବା ପ୍ରକାଶ କରିଛନ୍ତି । ଦାଦନ ଗଡ଼ର ରାଜଧାନୀ ରୂପେ କଣ୍ଟାବାଞ୍ଜି ସହର ପରିଚିତ ଥିବାବେଳେ, ଜିଲ୍ଲାର ସର୍ବାଧ‌ିକ ଦାଦନ ଶ୍ରମିକ ସର୍ଦାରମାନଙ୍କ ରହଣିସ୍ଥଳ କଣ୍ଟାବାଞ୍ଜି ଅଟେ ।

ଏହି କଣ୍ଟାବାଞ୍ଜିରେ ହିଁ ଦାଦନ ଶ୍ରମିକ ଚୋରାଚାଲାଣର ମୂଲଚାଲ କରାଯାଇଥାଏ। ଜଣେ ସର୍ଦ୍ଦାର ଟିକେଟ ବିକ୍ରି କରିବା ପାଇଁ ନିଷ୍ପତ୍ତି ନିଆଯାଏ । ଅନ୍ୟ ଜଣେ ସର୍ଦ୍ଦାରଙ୍କ ହାଲିଆ ତଥା ସେକେଣ୍ଡ ସର୍ଦ୍ଦାର, ଶ୍ରମିକମାନଙ୍କୁ ତାଙ୍କ ଠିକଣାକୁ ପହଞ୍ଚାଇବା ପାଇଁ କାର୍ଯ୍ୟ କରେ । ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ ସରି ଯାଇଛି । ଯେମିତି ଧୁମ୍‌ଧାମରେ ନୂଆଁଖାଇ ତିହାର ମନାଇଛନ୍ତି, ସେହିପରି ଏବେ ଦାଦନ ଖଟି ଯିବାକୁ ଧୁମ୍‌ ଧାମରେ ପ୍ରସ୍ତୁତ ହେଉଛି ଶ୍ରମିକ ସର୍ଦ୍ଦାରମାନଙ୍କଠାରୁ ବଇନା ନେଇ ଲକ୍ଷାଧିକ ଶ୍ରମିକ ସର୍ଦ୍ଦାର ମାନଙ୍କ ନିକଟରେ ବନ୍ଧକ ହୋଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *