କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ ? ଆଜି ଲୋକସଭା ବାଚସ୍ପତି ପଦ ପାଇଁ ହେବ ନାମାଙ୍କନ ଦାଖଲ ହେବ । ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାମ । ଦିନ ୧୨ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ବାଚସ୍ପତିଙ୍କ ନାମ ଘୋଷଣା କରିପାରନ୍ତି । ଅନ୍ୟପଟେ ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସେ ପର୍ଯ୍ୟନ୍ତ ଭର୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରାଯାଇଛି ।

 

ତେବେ ଏସବୁ ଚର୍ଚ୍ଚା ଭିତରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ ଆଗକୁ ଆସିଥିବାର ଦେଖାଯାଇଛି । ସେମାନେ ହେଲେ ଗତ ଥରର ବାଚସ୍ପତି ଓମ୍ ବିର୍ଲା , ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୁହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ, ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି.ପୁରେନ୍ଦେଶ୍ଵରୀ । ଏମାନଙ୍କ ମଧ୍ୟରୁ କାହାକୁ ବାଚସ୍ପତି କରାଯିବ , ନା ନୂଆ ନାଁ ସାମ୍ନାକୁ ଆସିବ । ତା ଉପରେ ସମସ୍ତଙ୍କ ନଜର ରହିଛି।

୧୮ତମ ଲୋକସଭାର ପ୍ରଥମ ଅଧିବେଶନ କାଲିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି । ଜୁନ ୨୭ରେ ସଂସଦର ମିଳିତ ଅଧିବେଶନ ହେବାକୁ ଥିବାବେଳେ ସେଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *