ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଆସନ ବୁଝାମଣା ଚୂଡ଼ାନ୍ତ । ବିଜେପି ଓ ଜେଡିୟୁ ପ୍ରତ୍ୟେକ ୧୦୧ ଆସନରେ ଲଢ଼ିବେ । ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି- ରାମବିଳାସ ୨୯ ଆସନରେ ଲଢ଼ିବ। ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଓ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା ଉଭୟ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ। ଏ ନେଇ ଆଜି ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି ବିହାର ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଲେଖିଛନ୍ତି ବିହାର ବିଧାନସଭା ନିର୍ବାଚନ ଆସନ ବୁଝାମଣା ଚୂଡ଼ାନ୍ତ। ଉଭୟ ବିଜେପି ଓ ଜେଡିୟୁ ସମାନ ୧୦୧ ଆସନ ଲଢିବାକୁ ଯାଉଛନ୍ତି। ସେହିପରି ବିଜେପି ବିହାର ପ୍ରଭାରୀ ବିନୋଦ ତାୱଡେ କହିଛନ୍ତି ଯେ ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ, ଏନଡିଏ ପରିବାରର ସମସ୍ତ ସଦସ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାରସ୍ପରିକ ସହମତିରେ ଆସନ ବଣ୍ଟନ ସମାପ୍ତ କରିଛନ୍ତି । ସୂଚନା ଯୋଗ୍ୟ; ଏଥର ଦୁଇ ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ନଭେମ୍ବର ୬ ଓ ୧୧ ତାରିଖରେ ହେବ ମତଦାନ। ନଭେମ୍ବର ୧୪ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ବିହାର ବିଧାନସଭାଟି ୨୪୩ ଆସନ ବିଶିଷ୍ଟ। ସେଥିମଧ୍ୟରୁ ବିଜେପି ଏବଂ ଜେଡିୟୁକୁ ସର୍ବାଧିକ ୧୦୧ ଲେଖାଏ ଆସନ ମିଳିଛି। ଉଭୟ ଦଳ ୨୦୨ ଆସନରେ ପ୍ରାର୍ଥୀ ଦେବେ। ଏହାବ୍ୟତୀତ ଅନ୍ୟତମ ସହଯୋଗୀ ଦଳ ଏଲଜେପି(ଆର) ଭାଗରେ ୨୯ ଆସନ ପଡ଼ିଛି। ସେହିପରି ଆରଏଲଏମ ଏବଂ ଏଚଏଏମ ଭାଗରେ ୬ଟି ଲେଖାଏ ଆସନ ପଡ଼ିଛି। Post navigation ବିଜେପି କୋର୍ କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ ଦାସ