ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ଅନୁଷ୍ଠିତ କୃଷକ ସମାବେଶରେ ଗର୍ଜିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।ମଞ୍ଚରେ ଲାଗିଥିବା ପୋଷ୍ଟରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ନିଜ ଫଟୋ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହିତ ଜିଲ୍ଲାପାଳଙ୍କୁ ତାଗିଦ ମଧ୍ୟ କରିଛନ୍ତି । ଏ କି ପ୍ରକାର ପ୍ରୋଟୋକଲ କହି ଜିଲ୍ଲାପାଳଙ୍କୁ ବର୍ଷିଲେ ସାଂସଦ ପୁରୋହିତ । ସେ କହିଛନ୍ତି ଆମ ସରକାରରେ ଆମେ ଅପମାନିତ ହେବୁ କି । ଏହା ସହ ମୋତେ ସର୍ବାଧିକ ଭୋଟରେ ଜିତାଇଛନ୍ତି, ଅପମାନିତ କରିବେ କି। ଏହା ପରେ ଘଟଣାକୁ ନେଇ କ୍ଷମା ମାଗିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ସୂଚନା ଯୋଗ୍ୟ; ରବିବାର ଝାରସୁଗୁଡା ଜିଲା ପ୍ରଶାସନ ତରଫରୁ କୋଲାବିରା ବ୍ଲକରେ ହେଉଥିବା କୃଷକ ସମାବେଶରେ ଯୋଗ ଦେବାପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଞ୍ଚରେ ପହଁଞ୍ଚଥିଲେ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବକ୍ତବ୍ୟ ପରେ ସାଂସଦ ପ୍ରଦୀପ ପୁରୋହିତ ନିଜ ବକ୍ତବ୍ୟ ରଖିବା ବେଳେ ସମାବେଶ ପାଇଁ ହୋଇଥିବା ବ୍ୟାନରରେ ନିଜ ଫଟୋ ନଥିବା ନେଇ ଝାରସୁଗୁଡା ଜିଲ୍ଲାପାଳଙ୍କୁ ତାଗିଦ କରିଥିଲେ । ସାଂସଦ କହିଥିଲେ ଯେ, ମୋତେ କଣ ଅସମ୍ମାନ କରିବା ପାଇଁ ଏଠାକୁ ଡକାଯାଇଛି। ପ୍ରୋଟୋକଲ ହିସାବରେ ବ୍ୟାନରରେ କଣ ସାଂସଦଙ୍କ ଫଟୋ ଦେବାର ନିୟମ ନାହିଁ, ଯଦି ତୁମର ଏମିତି କରିବାର ଥିଲା ତେବେ ମୋତେ ଏହି କାର୍ଯ୍ୟକ୍ରମକୁ କାହିଁକି ଡାକିଛ ବୋଲି ଜିଲ୍ଲାପାଳଙ୍କୁ ତାଗିଦ କରିଥିଲେ । ବିଜେଡି ସରକାର ଥିବା ବେଳେ ଭାଜପା ବିଧାୟକ, ଏମପିମାନଙ୍କୁ ଏପରି ବ୍ୟବହାର କରାଯାଉଥିଲା । ତତ୍କାଳୀନ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଫଟୋ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଦିଆଯାଉନଥିଲା । ସେତେବେଳେ ତ ବିଜେଡି ସରକାର ଥିଲା, ଏବେ ଆମ ସରକାର ରେ ଆମପ୍ରତି ଏପରି ଅସମ୍ମାନକୁ ପ୍ରଶୟ ଦିଆଯିବ ନାହିଁ । ଏହାପ୍ରତି ଆଗାମୀ ଦିନରେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ସାଂସଦ କହିଥିଲେ । ଏହାପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ତାଙ୍କ ଅଭିଭାଷଣ ରଖିବା ସମୟରେ ଜିଲ୍ଲା ପ୍ରଶାସନ ଆଗକୁ ଏପରି କରିବ ନାହିଁ ଏହା ଅଜାଣତରେ ହୋଇ ଯାଇଛି ବୋଲି କହିଵା ସହିତ ସାଂସଦ ଏହି ଘଟଣାରେ ମନଦୁଃଖ କରନ୍ତୁ ନାହିଁ ବୋଲି କହିଥିଲେ । Post navigation Under-19 Asia Cup: U19 ଏସିଆ କପ୍ ଫାଇନାଲରେ ଭାରତକୁ ହରାଇଲା ପାକିସ୍ଥାନ