ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଦେବା ସହ ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି । ବିଶ୍ବର ସବୁଠାରୁ ବଡ଼ ନିର୍ବାଚନରେ ଲୋକ ଆମକୁ ଜିତାଇଛନ୍ତି । ଏହା ସହ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ କିଛି ଲୋକଙ୍କ ପୀଡ଼ା ବୁଝିପାରୁଛି ।

ସେମାନଙ୍କ ପରାଜୟର ପୀଡ଼ା ମୁଁ ବୁଝି ପାରୁଛି । ଦୁର୍ନୀତି ପ୍ରତି ‘ଶୂନ୍ୟ ସହ୍ୟ’ ନୀତି ରହିବ ବୋଲି ପ୍ରଥମରୁ କହିଥିଲି । ଆମ କାର୍ଯ୍ୟ ଲୋକ ଦେଖିଲେ, ଆମ ଉପରେ ବିଶ୍ବାସ ରଖିଲେ । ଲୋକଙ୍କ ବିଶ୍ବାସର ଫଳଶ୍ରୁତି ସ୍ବରୂପ ୩ୟ ଥର ଆମକୁ ଜିତାଇଲେ । ଆମ ପାଇଁ ନେସନ ଫାଷ୍ଟ, ଭାରତ ଆମ ପାଇଁ ସର୍ବାଗ୍ରେ ।

ସେ ଆଉ ମଧ୍ୟ କହିଛନ୍ତି ଦେଶର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପ୍ରୟାସ କରି ଚାଲିଛୁ । ଦେଶ ଲମ୍ବା ସମୟ ତୁଷ୍ଟୀକରଣ ମଡେଲ ଦେଖିସାରିଛି । ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ । ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ହିଁ ସନ୍ତୁଷ୍ଟିକରଣ, ସେଥିପାଇଁ ଦେଶବାସୀ ଆମକୁ ତୃତୀୟ ଥର ବିଜୟୀ କରାଇଛନ୍ତି । ସମସ୍ତଙ୍କୁ ନ୍ୟାୟ, କାହା ପ୍ରତି ହେବନି ଅନ୍ୟାୟ ସିଦ୍ଧାନ୍ତରେ ଆମେ ଚାଲିଛୁ । ଦେଶବାସୀ ଆମ ନୀତିକୁ ଦେଖିଛନ୍ତି; ଆମ ନିୟତ, ନିଷ୍ଠା ଦେଖିଛନ୍ତି । ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ନେଇ ଲୋକଙ୍କ ପାଖକୁ ଯାଇଥିଲୁ ।ଲୋକ ଆମ ଲକ୍ଷ୍ୟକୁ ସ୍ବୀକୃତି ଦେଇ ଆମକୁ ବିଜୟୀ କରାଇଥିଲେ । ଦେଶ ବିକଶିତ ହେଲେ, ଆଗାମୀ ପିଢ଼ିଙ୍କ ସ୍ବପ୍ନ ପୂରଣ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି,  ୨୦୧୪ ପୂର୍ବରୁ କିଛି ହୋଇପାରିବନି ବୋଲି ଶବ୍ଦ ଶୁଣାଯାଉଥିଲା । ସରକାରଙ୍କ ଉପରେ ଲୋକଙ୍କ ବିଶ୍ବାସ ନଥିଲା, ଅବିଶ୍ବାସ ଭରିଥିଲା । ଦୈନିକ ନୂଆ ନୂଆ ଘୋଟାଲା ସମ୍ବାଦ ଶିରୋନାମା ପାଲଟୁଥିଲା ।ଦିଲ୍ଲୀରୁ ୧ ଟଙ୍କା ଗଲେ, ତଳ ସ୍ତରରେ ୧୫ ପଇସା ପହଞ୍ଚୁଥିଲା । କିଛି ହୋଇପାରିବନି’ ଜାଗାରେ ଏବେ ‘ସବୁ ହୋଇପାରିବ’ର ବିଶ୍ବାସ ରଖିଛନ୍ତି ଜନତା ।୨୦୧୪ ପୂର୍ବରୁ ବାହ୍ୟ ଶକ୍ତି ଡରରେ ହାତରେ ହାତ ଛନ୍ଦି ବସୁଥିଲେ । ଏବେ ସର୍ଜିକାଲ ଷ୍ଟ୍ରାଇକରେ ଘରେ ପଶି ଆକ୍ରମଣ କରୁଛି ଭାରତ । ଭାରତ କିଛି ବି କରିଦେବ ବୋଲି ଏକ ବାର୍ତ୍ତା ଦିଆଯାଇଛି । ଜାମ୍ମୁ କାଶ୍ମୀରରେ କିଛି ହୋଇ ପାରିବନି ବୋଲି କୁହାଯାଉଥିଲା । ୩୭୦ ହଟାଇଲୁ, କାଶ୍ମୀର ଏବେ ଗଣତନ୍ତ୍ରର ବାର୍ତ୍ତାବହ ପାଲଟିଛି ।

ବିଶ୍ବାସ ହିଁ ବିକାଶର ଡ୍ରାଇଭିଂ ଫୋର୍ସ ବନିଯାଏ । ଦେଶବାସୀଙ୍କ ବିଶ୍ବାସ ହିଁ ଦେଶକୁ ସର୍ବଦା ଆଗକୁ ନେଇଛି ।ଦେଶବାସୀଙ୍କ ବିଶ୍ବାସ ହିଁ ବିକଶିତ ଭାରତ ସ୍ବପ୍ନର ଶିଳାନ୍ୟାସ କରିଛି । ବିକାଶର ଯାତ୍ରାକୁ ଆମକୁ ପରବର୍ତ୍ତୀ ସୋପାନକୁ ନେବାକୁ ପଡ଼ିବ । ୧୦ ବର୍ଷରେ ଦେଶର ଅର୍ଥଶକ୍ତିକୁ ୧୦ରୁ ୫କୁ ଆଣିଛୁ । ଆଗାମୀ ଦିନରେ ଅର୍ଥଶକ୍ତିକୁ ୩ ନମ୍ବରକୁ ଆଣିବୁ ।ବିକାଶର ଯେତେ ଉପରକୁ ଗଲେ ବି ଆମେ ଲୋକଙ୍କ ସହ ଅଛୁ । ଗରିବଙ୍କ ପାଇଁ ୩ କୋଟି ଘର ତିଆରି କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ତଥାପି ନିଜ ଅଭିଭାଷଣରେ ମୋଦି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଲଗାତାର ତୃତୀୟ ଥର କଂଗ୍ରେସ ଶହେ ଛୁଇଁ ପାରିନି । ୧୩ ରାଜ୍ୟରେ ଜିରୋ ସିଟ୍ ଆସିଛି, ତଥାପି ବୟାନବାଜି କରୁଛନ୍ତି। ଜନାଦେଶକୁ ମିଛ ବିଜୟ ନିଶାରେ ଭୁଲି ଯାଆନ୍ତୁନି ଜନାଦେଶକୁ ସ୍ୱୀକାର କରନ୍ତୁ । କଂଗ୍ରେସ ଏବେ ପରଜୀବୀ କଂଗ୍ରେସ ହୋଇ ଯାଇଛି। ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚି ରହୁଛି। ଯେଉଁଠି ଏକୁଟିଆ ସେଠି କଂଗ୍ରେସ ଭୋଟ ହାର ୨୬ ପ୍ରତିଶତ । ଯେଉଁଠି ଜୁନିଅର ପାର୍ଟନର ଥିଲେ, ସେଠି ହାର ୫୦ ପ୍ରତିଶତ । କଂଗ୍ରେସର ୯୯ ଆସନ ତାଙ୍କୁ ତାଙ୍କ ସହଯୋଗୀ ଜିତାଇଛନ୍ତି । କଂଗ୍ରେସ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ହାର କମିଛି । ଦେଶବାସୀ କଂଗ୍ରେସକୁ ଏ ନିର୍ବାଚନରେ ସ୍ପଷ୍ଟ ସଂକେତ ଦେଇଛନ୍ତି। ବିରୋଧୀ ଆସନରେ ବସିବାକୁ କଂଗ୍ରେସକୁ ସଂକେତ ଦେଇଛନ୍ତି।

କଂଗ୍ରେସ ନେତାଙ୍କ ବୟାନବାଜି ସୋଲେ ଫିଲ୍ମକୁ ବି ପଛରେ ପକାଇ ଦେଇଛି। ତେଣୁ ୨୦୨୪ ରେ କଂଗ୍ରେସ ‘ପରଜୀବୀ କଂଗ୍ରେସ’ ଭଳି ରହିବ। ଯାହା ସହ ମେଣ୍ଟ କରିବ ତା’ ଭୋଟ ଖାଇଯିବ ବୋଲି ମୋଦି କହିଛନ୍ତି।

ଗତକାଲି ଗୃହରେ ବାଳକ ବୁଦ୍ଧିର ପିଲା ବିଳାପ କରୁଥିଲେ। ଭୁଲ୍ ମନ୍ତବ୍ୟ ନେଇ ୟାଙ୍କୁ ସର୍ବୋଚ୍ଚ କୋର୍ଟରେ କ୍ଷମା ମାଗିବାକୁ ପଡ଼ିଛି । ସହାନୁଭୂତି ପାଇବା ପାଇଁ ଡ୍ରାମା କରାଯାଇଥିଲା। ଇଭିଏମ୍‌, ସମ୍ବିଧାନକୁ ନେଇ କହିଥିବା ମିଛ ସୀମା ଟପିଯାଇଛି ।

ଗତକାଲି ସଂସଦରେ ଭରପୁର ମିଛ କଥା କୁହାଗଲା । ସମ୍ବିଧାନର ଗରିମା ସହ ଖେଳ ସଂସଦ ପାଇଁ ଦୁର୍ଭାଗ୍ୟ । କାଲି ଯାହା ହୋଇଛି, ତାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ । ଏଭଳି ହରକତକୁ ବାଳକବୁଦ୍ଧି କହି ନଜରଅନ୍ଦାଜ କରାଯିବା କଥା ନୁହେଁ । କଂଗ୍ରେସ ସମ୍ବିଧାନ ଓ ସଂରକ୍ଷଣ ନେଇ ସର୍ବଦା ମିଛ କହିଛି ।

ମୋଦୀ କହିଛନ୍ତି ଚଳିତବର୍ଷ ଲୋକସଭା ସହ ୪ ରାଜ୍ୟରେ ନିର୍ବାଚନ ହୋଇଥିଲା । ଏହି ୪ ରାଜ୍ୟରେ ଏନ୍‌ଡିଏ ଅଦ୍ଭୁତପୂର୍ବ ସଫଳତା ପାଇଛି । ଓଡ଼ିଶାରେ ଆମକୁ ଭରପୁର ଆଶୀର୍ବାଦ ମିଳିଛି । ଆନ୍ଧ୍ରାରେ ଏନ୍‌ଡିଏ କ୍ଲିନ୍‌ ସୁଇପ୍‌ କରିଛି । ଅରୁଣାଚଳ, ସିକିମରେ ଆମେ ପୁଣି ସରକାର କରିଛୁ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ପ୍ରଚଣ୍ଡ ବିଜୟ ପାଇଥିଲୁ । କେରଳରେ ବିଜେପି ଏଥର ଖାତା ଖୋଲିଛି । ତାମିଲନାଡୁରେ ବିଜେପି ଜୋରଦାର ଫାଇଟ୍‌ ଦେଇଛି । ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ନିର୍ବାଚନ ଆସୁଛି । ପୂର୍ବ ନିର୍ବାଚନ ଅପେକ୍ଷା ଆମକୁ ଏଥର ଏଠି ଅଧିକ ଭୋଟ ମିଳିଛି ବୋଲି ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *