ରାଜ୍ୟ ସାରା ମହିଳାମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏହାର ପ୍ରମୁଖ ମିଶନ ଶକ୍ତି କାର୍ଯ୍ୟକ୍ରମର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂଆ ରୂପ ପାଇବ ମିଶନ ଶକ୍ତି। ବଦଳିବ ଡ୍ରେସ୍‌ କୋଡ୍‌ । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଖୁବ ଶୀଘ୍ର ମିଶନ ଶକ୍ତି ମହିଳାମାନେ ପିନ୍ଧିବେ ନୂଆ ଡ୍ରେସ୍ କୋଡ୍ । ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ୍‌ କୋଡ୍‌ । ଏହା ସହ ମିଶନ ଶକ୍ତି ମହିଳାଙ୍କୁ ଆଇଡି କାର୍ଡ ସହ ସ୍ମାର୍ଟ ଫୋନ୍‌ ମିଳିବ ।

ସୂଚନା ଯୋଗ୍ୟ; ଆଜି ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଫୋନ କମ୍ୟୁନିଟି ରିସୋର୍ସ ପର୍ସନଙ୍କୁ ମିଳିବ । ୪୬ ହଜାର ସିଆରପିଙ୍କୁ ମିଳିବ ।

ସେହିପରି ମିଶନ ଶକ୍ତି ମହିଳାଙ୍କ ଡ୍ରେସ୍ କୋଡ୍ ବଦଳାଯିବ । ସେମାନଙ୍କୁ ଦିଆଯାଇଥିବା ଶାଢୀରେ ଓଡ଼ିଆ ଅସ୍ମିତାର ଝଲକ ରହିବ । ମହିଳା ସଶକ୍ତିକରଣ ଏବଂ ମାଆମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି । ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରୁଛି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ମୋଟ ୨,୮୦,୫୮୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭.୬୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁଧ ଫେରସ୍ତ କରାଯାଇଛି । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୩୧୮ କୋଟି ୩୦ ଲକ୍ଷ ୧୬ ହଜାର ୬୪୫ ଟଙ୍କା ଦିଆଯାଇଛି। ୫ ଲକ୍ଷ ୪୪ ହଜାର ୪୯୩ ଗୋଷ୍ଠୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ୨ ଲକ୍ଷ ୮୦ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି।

ଗୋଷ୍ଠୀମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କ ଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି। ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯାଇଥାଏ। ଏହା ଉଦ୍ୟୋଗୀ ହେବା ପଥରେ ଅଗ୍ରସର ମା’ ଓ ଭଉଣୀମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ ।

Leave a Reply

Your email address will not be published. Required fields are marked *