ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ହୋଇଯାଇଥିବା ୫ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୋଲିସ । ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନ ଥିଲେ ।ଉଦ୍ଧାର ପରେ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପରିବାରକୁ ହସ୍ତାନ୍ତର କରାଯାଇଛି ।

ସୂଚନା ମୁତାବକ, ଗତକାଲି କଟକ ଲିଙ୍କ ରୋଡ୍‌ ଅଞ୍ଚଳର ଅରଖିତ ମହାପାତ୍ର, ଶୁଭମ୍‌ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ଆଜି ସକାଳେ ଢେଙ୍କାନାଳର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ। ବୁଲାବୁଲି ଭିତରେ ସେମାନେ କେତେବେଳେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ, ଜାଣିପାରିନଥିଲେ। ଆଉ ଜାଣିଲା ବେଳକୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ଫେରିବା ବାଟ ଭୁଲି ଯାଇଥିଲେ। ଦିନ ସାରା ବାଟ ବଣା ପାହାଡ଼ରେ ବୁଲିଥିଲେ। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ତେବେ ସନ୍ଧ୍ୟା ବେଳେ ସେମାନଙ୍କ ଭିତରେ ଜଣେ ନିଜ ଘରକୁ ଫୋନ୍‌ କରିଥିଲେ। ଆଉ କହିଥିଲେ, ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଆସିଥିଲୁ କିନ୍ତୁ ଫେରିବା ବାଟ ପାଉନୁ।

ଏ କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପରିବାର ଲୋକେ ଏନେଇ ଢେଙ୍କାନାଳ ସଦର ଥାନା ପୁଲିସ୍‌ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୁଲିସ୍‌ ଓ ବନ ବିଭାଗ। ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଛି। ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଛି। ଏଥିସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏଲିଫେଣ୍ଟ ସ୍କ୍ୱାର୍ଡଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଛାତ୍ରମାନଙ୍କ ମୋବାଇଲ୍‌ ବନ୍ଦ ରହିଥିବାରୁ ସେମାନଙ୍କୁ ଟ୍ରାକ୍‌ କରି ହେଉନଥିଲା । ତାହାପରେ ପୁଣି ସକାଳଠାରୁ ବର୍ଷା ଲାଗି ରହିଛି। ସନ୍ଧ୍ୟାଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଏପରି ସ୍ଥିତିରେ ଘଞ୍ଚ ଜଙ୍ଗଲରେ ଖୋଜିବା ବନ ବିଭାଗ ପାଇଁ କାଠିକର ପାଠ ହୋଇଯାଇଥିବା ବେଳେ ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ କର୍ମଚାରୀ ଓ ପୋଲିସ

Leave a Reply

Your email address will not be published. Required fields are marked *