ଶ୍ରୀପଞ୍ଚମୀ ଭଳି ପବିତ୍ର ଦିନ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ତଥା ପରାକ୍ରମ ଦିବସରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସିର ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ୭ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲା, ପାଟଣାଗଡ ବିଧାନସଭା ଓ ଏନ୍‌ଏସିରେ ଦଳର ସଂଗଠନ ଆହୁରି ମଜଭୁତ ହୋଇପାରିଛି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏର ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଶାସନ କ୍ଷମତାରେ ରହିଛି । ସମସ୍ତେ ମିଳିମିଶି ଏଠାକାର ମୌଳିକ ସମସ୍ୟାର ସମାଧାନ କରି ବଲାଙ୍ଗୀର ଜିଲ୍ଲା, ପାଟଣାଗଡ଼ ଏନ୍‌ଏସି ଏବଂ ଓଡ଼ିଶାକୁ ବିକଶିତ କରିବା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ସମସ୍ତ ନୂତନ କାର୍ଯ୍ୟକର୍ତାଙ୍କୁ ଦଳକୁ ସ୍ୱାଗତ କରି କହିଛନ୍ତି ଯେ, ସମସ୍ତେ ମିଳିମିଶି ସରକାରଙ୍କ ସମସ୍ତ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରିବା । ବଲାଙ୍ଗୀର ଓ ପାଟଣାଗଡ଼ ସମେତ ସାରା ଓଡ଼ିଶାକୁ ବିକାଶ ଅଭିମୁଖେ ଆଗେଇ ନେବା ।

ଏହି ଅବସରରେ ପ୍ରଫୁଲ୍ଲ କୁମାର ମେହେରଙ୍କ ସମେତ କାଉନ୍‌ସିଲର ହେମବନ୍ତୀ ମେହେର, ରୀତା ମେହେର, ଶ୍ରୀରାମ ଦଳାଇ, ଲୋଚନ ଭୋଇ, ମକୁନ୍ଦ ମେହେର ପ୍ରମୁଖ ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ସ୍ୱାଧୀନ କାଉନ୍‌ସିଲର ରୁନୁ କୁମ୍ଭାର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ସମବାୟ ପ୍ରକୋଷ୍ଠ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ରଶ୍ମିରଞ୍ଜନ କାନୁନ୍‌ଗୋ ଓ ପାଟଣାଗଡ଼ ନଗର ସଭାପତି ସନ୍ୟାସୀ ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *